ବେଆଇନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା ଦେଲେ ପରିବାର

ବସ୍ତା,୨୩।୧(ଡି.ଏନ.ଏ)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଆଳୁମେଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଜୁଆରୀ ଗ୍ରାମର ନୀଳକଣ୍ଠ ବେହେରା(୩୮)।

ସୂଚନାନୁଯାୟୀ, ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ନିଜର ସେଚ ପଏଣ୍ଟକୁ ବିଦ୍ୟୁତ ତାର ନେଇଥିଲେ। ବୁଧବାର ସକାଳେ ନୀଳକଣ୍ଠ ଅସାବଧାନତାବଶତଃ ଉକ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରିବାରଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଜମି ମାଲିକ କ୍ଷତି ପୂରଣ ପାଇଁ ରାଜି ହେବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ମାତ୍ର ଏହି କ୍ଷତିପୂରଣ ଦେବାରେ ଟାଳଟୁଳ କରିବା ଯୋଗୁ ମୃତକଙ୍କ ଶବକୁ ଦାହ ସଂସ୍କାର ନ କରି ପରିବାରଲୋକେ ଉକ୍ତ ବ୍ୟକ୍ତିଙ୍କ ଘର ସମ୍ମୁଖରେ ରଖି ବସି ରହିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ବୁଝାଶୁଝା ପରେ ଜମିମାଲିକ କ୍ଷତିପୂରଣ ପାଇଁ ରାଜି ହେବା ଯୋଗୁ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି।