Categories: ଗଞ୍ଜାମ

ବେଆଇନ ବାଲି ଚାଲାଣ:  ୯ ଟ୍ରାକ୍ଟର ଜବତ, ୯ ଗିରଫ

ଆସିକା,୧୯ା୧୨(ଡି.ଏନ୍‌.ଏ.) -ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର-ପଢାଳ ମଧ୍ୟରେ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ପୋଲିସ ୯ଟି ଟ୍ରାକ୍ଟର ଜବତ କରିଛି। ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆସିକା ଥାନା ଅନ୍ତର୍ଗତ କୁମ୍ଭାରି ଗ୍ରାମର ସନ୍ନ୍ୟାସୀ ନାହାକ, ଜଗା ନାହାକ, କେ. ଲଚ୍ଛମନପଲ୍ଲୀ ଗ୍ରାମର ଚିତ୍ରସେନ ନାହାକ, ଶିବ ନାହାକ, ଧୋବାପଲ୍ଲୀ ଗ୍ରାମର ମନୋଜ କୁମାର ମହାନ୍ତି, ପଥରା ଗ୍ରାମର ହରେକୃଷ୍ଣ ପ୍ରଧାନ, କବିସୂର୍ଯ୍ୟନଗରର ମୂରଲି ମଲ୍ଲିକ, ଆଠଗଡ ଗ୍ରାମର ଅଶୋକ ମହାନ୍ତି, କଙ୍କୋରଡା ଗ୍ରାମର ରଞ୍ଜନ ସେଠୀ। ବିଧିବଦ୍ଧ ଭାବେ କାଗଜପତ୍ର ନଥିବା ଅଭିଯୋଗରେ ପୋଲିସ ଏହି ଟ୍ରାକ୍ଟର ଜବତ କରିଥିବାବେଳେ ଟ୍ରାକ୍ଟର ସବୁକୁ କୋଟିନଡା ଫାଣ୍ଡି ପରିସରରେ ରଖାଯାଇଛି। ତେବେ ଏହି ର଼୍ୟାକେଟ ଚଳାଉଥିବା ୪ଜଣ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଗିରଫନେଇ ପୋଲିସ ଉଦ୍ୟମ ଜାରି ରଖିଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଆସିକା ଥାନାରେ ନଂ.୪୯୧/୧୯ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଗତ ସପ୍ତାହ ମଧ୍ୟରେ ପୋଲିସ ପକ୍ଷରୁ ଏହା ତୃତୀୟ ପଦକ୍ଷେପ। ଏଥିପୂର୍ବରୁ କୋଟିନଡା ନିକଟରେ ୪ ଟ୍ରାକ୍ଟର, ସୁନାମ୍ବସାହି ନିକଟରୁ ଋଷିକୁଲ୍ୟ ନଦୀ ବାଲି ଘାଟରୁ ୬ ଟ୍ରାକ୍ଟର ଓ ଜେସିବି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା।