ବେଆଇନ ବାଲି ଉଠାଣକୁ ଗ୍ରାମବାସୀଙ୍କ ବିରୋଧ

କପ୍ତିପଦା,୧୭ା୩(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ସୋନ ନଦୀର ବିଶୋଳ ପଞ୍ଚାୟତ ନିକଟ ଏକ ବାଲି ଘାଟରୁ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ ଘଟଣାକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ମଧ୍ୟ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଜେସିବି ମାଧ୍ୟମରେ ବାଲି ଉତ୍ତୋଳନ ହୋଇ ପାରିବ ନାହିଁ ବୋଲି ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ରବିବାର ରାତି ସମୟରେ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଗ୍ରାମବାସୀ ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲ ପକ୍ଷରୁ ଏ ସମ୍ପର୍କରେ କପ୍ତିପଦା ଥାନାଧିକାରୀ ସଞ୍ଜୟ ପ୍ରଧାନଙ୍କୁ ଅବଗତ କରାଯିବା ପରେ ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସକୁ ଦେଖି ଗାଡ଼ି ମାଲିକ ନଦୀ ଉପରକୁ ଗାଡ଼ି ଉଠାଇ ଆଣିଥିଲେ। ଏ ସଂକ୍ରାନ୍ତରେ ଥାନାଧିକାରୀ ତହସିଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ମାତ୍ର ତହସିଲ ପକ୍ଷରୁ ଗାଡ଼ିି ମାଲିକଙ୍କୁ ତାଗିଦ କରି ଛାଡ଼ି ଦିଆଯାଇ ଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ପ୍ରଶାସନର ଏଭଳି ପଦକ୍ଷେପକୁ ତୀବ୍ର ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଅଜୟ କୁମାର ଦାସ, ରବୀନ୍ଦ୍ର କୁମାର ସାହୁ, ରସାନନ୍ଦ ମହାନ୍ତି, ନରେନ୍ଦ୍ର ବେହେରା ଓ ଜଗନ୍ନାଥ ଖଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତିି ଯେ, ମେଶିନ ଲଗାଇ ବାଲି ଉତ୍ତୋଳନ କରାଯିବାରୁ ନଦୀ ଗର୍ଭ ଅଧିକ ଗଭୀର ହେବାରେ ଲାଗିଛି। ଫଳରେ ଗୋରୁ, ଗାଈ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ନଦୀକୁ ଓହ୍ଲାଇ ପାଣି ପିଇବାକୁ ସମସ୍ୟାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଟ୍ରକ୍‌, ଡମ୍ଫର ଓ ଟ୍ରାକ୍ଟରରେ ରାତିଦିନ ଗ୍ରାମ ମଧ୍ୟଦେଇ ବାଲି ପରିବହନ କରାଯାଉଥିବାରୁ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଛି । ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଦେଖି ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପ୍ରତିକାର ନ ହେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।