ବେଆଇନ ବାଣ କାରଖାନା ଠାବ : ୧୦ହଜାର ଟଙ୍କାର ସାମଗ୍ରୀ ଜବତ, ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା,୧୩।୧୦(ଡି.ଏନ.ଏ.)-ବେଆଇନ ଭାବେ ବାଣ ନିର୍ମାଣ ଓ ବିକ୍ରି ଉପରେ କଟକଣା ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଜିଲାର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ ଘଟି ଧନଜୀବନ ନଷ୍ଟ ହେବା ପରେ ଏବେ ପୋଲିସ ବିଭାଗର ଚେତା ପଶିଛି। ୧୦ଦିନ ମଧ୍ୟରେ ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରେ ବେଆଇନ ଭାବେ ଚାଲିଥିବା ଚୋରା ବାଣ କାରଖାନାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ବ୍ୟବସାୟୀମାନେ ଦି ପଇସା ଲାଭ ପାଇବା ଆଶାରେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ବ୍ୟବସାୟ ଚଳାଇ ଆସୁଛନ୍ତି।
ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାରଙ୍କ ନିର୍ଦ୍ଦେଶକ୍ରମେ ରୂପ୍‌ସା ଥାନା ହୀରାପୁର ଗ୍ରାମରେ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ରବିବାର ସଦଳବଳ ଚଢ଼ାଉ କରି ଏକ ବେଆଇନ ବାଣ କାରଖାନା ଠାବ କରିଛନ୍ତି। ଅଭିଯୁକ୍ତ ରବୀନ୍ଦ୍ର କୁମାର ସାହୁଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ୧ କେଜି କଳା ବାରୁଦ, ୨କେଜି ହଳଦିଆ ବାରୁଦ, ୫ଶହ ପିସ୍‌ ସୁତୁଲି, ବିଭିନ୍ନ କିସମର ନିର୍ମାଣ ହୋଇଥିବା ହ୍ୟାଣ୍ଡବମ୍‌, ୩ଶହଟି ଫାଙ୍କା ଖୋଳର ମୂଲ୍ୟ ୧୦ହଜାର ଟଙ୍କା ହେବ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଦୀର୍ଘବର୍ଷ ଧରି ରବୀନ୍ଦ୍ର ବିନା ଲାଇସେନ୍ସରେ ଘରେ ବେଆଇନ ଭାବେ ବାଣ ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ବୋଲି ଥାନାଧିକାରୀ ମହାଳିକ କହିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୭୭/୧୯) ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାକୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।