ବେଆଇନ ପାଥୋଲାବ୍‌ରେ ଚଢ଼ାଉ: ୭ ଦିନ ମଧ୍ୟରେ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ

ବାଲେଶ୍ୱର ଅଫିସ,୨୭।୨: ଜିଲାପାଳଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଗୁରୁବାର ବିଭିନ୍ନ ପାଥୋଲାବ୍‌ରେ ଚଢ଼ାଉ କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ଶ୍ରୀଗଣେଶ, ପ୍ରଶାନ୍ତି, ବନଦୁର୍ଗା, ଗାୟତ୍ରୀ, ନିୟୁ ଲାଇଫ୍‌, ବିଜୟା ଆଦି ୨୦ରୁ ଊର୍ଦ୍ଧ୍ୱ ପାଥୋଲାବ୍‌ରେ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ କରାଯାଇଛି। ଟିମ୍‌ରେ ଡେପୁଟି କଲେକ୍ଟର ଅରୁଣା ତ୍ରିପାଠୀ, କ୍ରାଇମ୍‌ ଡିଏସ୍‌ପି ଉମେଶ ପଣ୍ଡା, ଏଡିଏମ୍‌ଓ ମୋତିଲାଲ ଦୁଲାଳସେନ ଜଗଦେବ, ହସ୍ପିଟାଲର ବରିଷ୍ଠ କିରାଣି ଜୀବନ ଦାସ ପ୍ରମୁଖ ସାମିଲ ଥିଲେ। ବିନା ଆନୁସଙ୍ଗିକ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରାଯାଇ କାଗଜପତ୍ର ନିମନ୍ତେ ୭ ଦିନିଆ ସମୟ ଦିଆଯାଇଛି। ଆଇନତଃ ପାଥୋଲାବ୍‌ ନିମନ୍ତେ ରେଜିଷ୍ଟ୍ରେଶନ ସହ ସମସ୍ତ କାଗଜାତ ସରକାରୀସ୍ତରରେ ହାସଲ କରିବାକୁ ପାଥୋଲାବ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ନଚେତ୍‌ ପାଥୋଲାବ୍‌ ସିଲ୍‌ କରାଯିବ ବୋଲି ମୌଖିକ ଚେତାବନୀ ଦିଆଯାଇଛି।