ବେଆଇନ ନର୍ସିଂ ହୋମ୍‌ ମାମଲା: ହାଇକୋର୍ଟରେ ହାଜର ହେଲେ ସ୍ବାସ୍ଥ୍ୟ ସଚିବ

କଟକ ଅଫିସ,୧।୧୦: ବେଆଇନ ନର୍ସିଂହୋମ୍‌କୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ରାଜ୍ୟ ସରକାରଙ୍କ ପ୍ରମୁଖ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ସୋମବାର ବ୍ୟକ୍ତିଗତ ହାଜର ହୋଇଛନ୍ତି। ରାଜ୍ୟରେ କ୍ଲିନିକାଲ ଏଷ୍ଟାବ୍ଲିଶ୍‌ମେଣ୍ଟ ଆକ୍ଟ ଲାଗୁ ପାଇଁ ପ୍ରତି ଜିଲାର ଜିଲାପାଳଙ୍କୁ ଏହାର ମୁଖ୍ୟ ରଖାଯାଇଛି। ଆଇନ ଲାଗୁ ସମ୍ପର୍କରେ ଜିଲାପାଳମାନେ ସତ୍ୟପାଠ ଦାଖଲ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ୧୪ ଜିଲାପାଳ ସତ୍ୟପାଠ ଦାଖଲ କରିଥିବାବେଳେ ମଙ୍ଗଳବାର ଅନ୍ୟ ୧୬ ଜିଲାର ଜିଲାପାଳ ଏହି ସତ୍ୟପାଠ ଦାଖଲ କରିବେ ବୋଲି ସଚିବ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ କେ.ଆର୍‌ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି।
ମାମଲର ବିବରଣୀରୁ ପ୍ରକାଶ, ରାଜ୍ୟରେ ଚାଲିଥିବା ବେଆଇନ ନର୍ସିଂହୋମକୁ ବିରୋଧ କରି ଓଡ଼ିଶା ଉପଭୋକ୍ତା ଫୋରମ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ। ତଦନୁଯାୟୀ, ୨୦୧୭ ସେପ୍ଟେମ୍ବର ୧୮ରେ ରାଜ୍ୟ ସରକାର ଜବାବରେ କହିଥିଲେ ଯେ, ରାଜ୍ୟରେ ୧୧୬୯ଟି ଅଣପଞ୍ଜୀକୃତ ନର୍ସିଂହୋମ ଚାଲୁଛି। ଖୁବ୍‌ଶୀଘ୍ର ରାଜ୍ୟରେ ଉପରୋକ୍ତ ଆଇନ ଲାଗୁ କରାଯିବା ସହ ଅଣପଞ୍ଜିକୃତ ନର୍ସିଂ ହୋମ୍‌ଗୁଡ଼ିକୁ ବନ୍ଦ ପାଇଁ ପ୍ରତି ଜିଲାରେ ଟାସ୍କଫୋର୍ସ ଗଠନ କରାଯିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ। ରାଜ୍ୟରେ ପ୍ରି ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍ନିକ୍ସ(ପିଏନ୍‌ଡିଟି) ଆକ୍ଟରେ କିଭଳି କାର୍ଯ୍ୟ କରାଯାଉଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏ ନେଇ କୌଣସି ଜବାବ ନ ରଖିବାରୁ ହାଇକୋର୍ଟ ସରକାରଙ୍କୁ ୫ ହଜାର ଟଙ୍କା ଜରିମାନା କରିବା ସହ ପ୍ରମୁଖ ସଚିବଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ।