ବେଆଇନ ଦେଶୀ ବନ୍ଧୁକ ଜବତ: ଶିକାରୀ ଗିରଫ

କିର୍ମିରା, ୧୨।୯ (ଡି.ଏନ୍‌.ଏ):  ଝାରସୁଗୁଡା ଜିଲା ଲଇକେରା ଥାନା ବାଗଡ଼ିହି ଫାଣ୍ଡି ଅନ୍ତର୍ଗତ ବରପାଏନ୍‌ ଖଡ଼ିଆମାଲ ଗ୍ରାମରୁ ମଙ୍ଗଳବାର ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। ଏହି ଘଟଣାରେ ପୋଲିସ ଶିବ ନାଏକ(୩୦)ଙ୍କୁ ଗିରଫ କରିଛି । ଏ ନେଇ ପୋଲିସ ଥାନାରେ ଏକ ମାମଲା (ନଂ.୧୪୩/୧୯) ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ କୌଣସି ସୂତ୍ରରୁ ଶିବ ଘରେ ଏକ ଦେଶୀ ବନ୍ଧୁକ ଥିବା ଖବର ପାଇଥିଲେ। ଶିବ ବନ୍ଧୁକକୁ ବାର୍‌ହା ଶିକାର ପାଇଁ ବ୍ୟବହାର କରୁଥିବା ପୋଲିସ ଜାଣିବାକୁ ପାଇ ତାଙ୍କ ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଘରୁ ଏକ ସିଙ୍ଗିଲ ବୋରର ଦେଶୀ ବନ୍ଧୁକ ପୋଲିସ ଜବତ କରିବାରେ ସକ୍ଷମ ହୋଇଥିଲା।