ବେଆଇନ ଚାଲିଛି ୨୦ରୁ ଊର୍ଦ୍ଧ୍ୱ ବାଲି ଖାଦାନ

ଚଣ୍ଡିଖୋଲ,୨୮।୨(ଡିଏନଏ): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଥିବା ୩ଟି ନଦୀରୁ ବ୍ୟାପକଭାବେ ବେଆଇନ ବାଲିଚାଲାଣ କରାଯାଉଛି। କୌଣସି ଗୋଟିଏ ଖାଦାନକୁ ଲିଜ ଦିଆଯାଇ ନ ଥିବାବେଳେ ସମସ୍ତ ବାଲିଘାଟ ବେଆଇନଭାବେ ଚାଲିଛି। ମାତ୍ର ରାଜସ୍ବ ବିଭାଗ ଓ ପୋଲିସର ନିରବତା ସନ୍ଦେହ ସୃଷ୍ଟି କରିଛି। ସୂଚନା ଥାଉକି, ଏହି ତହସିଲ ଅଧୀନରେ ବିରୂପା, ବଡ଼ଗେଙ୍ଗୁଟି ଓ କେଲୁଅ ନଦୀ ପ୍ରବାହିତ। ପ୍ରତ୍ୟେକ ନଦୀରେ ଖୁଲମଖୁଲା ଦିନ ଦି୍ବପ୍ରହରରେ ବେଆଇନ ବାଲିଚାଲାଣ କରାଯାଉଥିବାବେଳେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବିରୂପା ନଦୀର ଗଜେନ୍ଦ୍ରପୁର ଦେକୁଡ଼ି, ଚାରିନଙ୍ଗଳ, ମାଣ୍ଡୁକା, ନାନପୁରଠାରେ ଖାଦାନଗୁଡ଼ିକ ଚାଲୁଛି। ସେହିଭଳି ବଡ଼ଗେଙ୍ଗୁଟି ନଦୀର ଅରଖପୁର, ପାଇକରାପୁର, ବେଣାପୁର, ଖଡ଼ଇଙ୍ଗ, ବନମାଳିପୁର, ଅଚ୍ୟୁତବସନ୍ତ ଆଦି ସ୍ଥାନରେ ବେଆଇନ ବାଲିଘାଟ ଚାଲୁଥିବା ଦେଖିବାକୁ ମିଳୁଛି। ସେହିପରି କେଲୁଅ ନଦୀର ଚଣ୍ଡିଆ, ସାଉଡ଼ିଆ, ବାଲିକୁଦା ଓ ରଇପୁର ଆଦି ସ୍ଥାନରେ ବାଲିଘାଟ ଚାଲୁଥିବାବେଳେ ସେଠାକାର ରାଜସ୍ବ ନୀରିକ୍ଷକମାନେ ଏସବୁ ଜାଣି ମଧ୍ୟ ନିରବତା ଅବଲମ୍ବନ କରୁଛନ୍ତି। ଦୈନିକ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବାବେଳେ ପ୍ରତ୍ୟେକ ବର୍ଷ ଏହିସବୁ ବାଲିଘାଟରୁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବାଲି ବାହାରକୁ ଚାଲାଣ କରାଯାଉଛି। ଏଥିରେ ଟ୍ରାକ୍ଟର, ଡମ୍ପର ଓ ହାଇୱା ଆଦି ନିୟୋଜିତ ହେଉଛନ୍ତି। ବେଳେବେଳେ ତହସିଲ ତରଫରୁ ଚଢାଉ କରାଯାଇ ଲୋକ ଦେଖାଣିଆ ୨/୩ଟି ଗାଡ଼ିକୁ ଧରି ସେମାନଙ୍କଠାରୁ ଜରିମାନା ଆଦାୟ କରି ଦେଇ ବିଭାଗୀୟ ଅଧିକାରୀମାନେ ଚୁପଚାପ୍‌ ବସି ଯାଉଛନ୍ତି। ପୂର୍ବରୁ ଏହି ସବୁ ବାଲିଘାଟ ନିଲାମ କରାଯାଇ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରାଯାଇଥିବାର ଦୃଷ୍ଟାନ୍ତ ରହିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ବରଣେନ୍ଦୁ ମହାନ୍ତିଙ୍କୁ ପଚାରିବାରେ, କୌଣସି ବାଲିଘାଟକୁ ନିଲାମ ଦିଆଯାଇ ନାହିଁ। ତେବେ ବିଭିନ୍ନ ସମୟରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଉଛି।