ବେଆଇନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ: ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ

କାମାକ୍ଷାନଗର, ୯ା୧୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବୀରାଶାଳ ଫରେଷ୍ଟ ସେକ୍ସନ ଅଧୀନ ହରିଡ଼ାପଦାରେ ବେଆଇନ ଗଛକଟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୭୦ବର୍ଷ ଧରି ଗଛ ସହ ନିବିଡ଼ ସମ୍ପର୍କ ଥିବା ଆଦିବାସୀଙ୍କ ପକ୍ଷେ ଏପରି କାର୍ଯ୍ୟ ଅସହ୍ୟ ହୋଇପଡ଼ିଥିବାବେଳେ ସେମାନେ ଜଙ୍ଗଲ ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି।
ଗ୍ରାମବାସୀଙ୍କ କହିବା କଥା, ରାଇବୋଲ ପଞ୍ଚାୟତ ହରିଡ଼ାପଦା ସମେତ ଆଖପାଖ ୫ ଖଣ୍ଡ ଗଁାର ବାସିନ୍ଦାଙ୍କ ପେଟପାଟଣାର କଥା ବୁଝୁଛି ଗ୍ରାମ୍ୟ ଜଙ୍ଗଲ। ଜାଳେଣି, ଖଲିପତ୍ର, ଝୁଣା, ଦାନ୍ତକାଠି, ଛତୁ ସମେତ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଉଛନ୍ତି। ଦୀର୍ଘ ୭ ଦଶନ୍ଧି ଧରି ସେମାନେ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି। ହେଲେ ୧୦ଦିନ ହେଲା ବୀରାଶାଳ ଗ୍ରାମରେ ଜଣେ ବ୍ୟକ୍ତି ଜଙ୍ଗଲ ଜମିକୁ ନିଜ ରେକର୍ଡରେ ଥିବା ଦର୍ଶାଇ ୩୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ସାରିଲେଣି। ଏ ନେଇ ରେଞ୍ଜ ଅଧିକାରୀ, କାମାକ୍ଷାନଗର ଉପଜିଲାପାଳ, ତହସିଲଦାର, ଆର୍‌ଆଇଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଇନ ହାତକୁ ନେବାକୁ ବାଧ୍ୟ ହେବେ, ଏଥିପାଇଁ ପ୍ରଶାସନିକ ଅଧିକାରୀ ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଏ ନେଇ ଭାରପ୍ରାପ୍ତ ତହସିଲଦାର ମାନସ କୁମାର ଦଣ୍ଡପାଟ କୁହନ୍ତି, ଅଭିଯୋଗ ମିଳିଛି। ଜାଗା ଚିହ୍ନଟ ହେବାପରେ ପ୍ରକୃତ ସତ୍ୟତା ପଦାକୁ ଆସିବ। ବେଆଇନ ଭାବେ ଗଛ କଟାଯାଇଥିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।