ବେଆଇନ ଇଟାଭାଟି ଉଚ୍ଛେଦକୁ ବିରୋଧ: ବିଫଳ ହୋଇ ଫେରିଲେ ଅଧିକାରୀ

ବାଲେଶ୍ୱର ଅଫିସ,୧୯।୧୨-ବାଲେଶ୍ୱର ଜିଲା ସଦର ତହସିଲ ଅନ୍ତର୍ଭୁକ୍ତ ଫୁଲାଡ଼ି ଅଞ୍ଚଳରେ ଥିବା ୪ଟି ବେଆଇନ ଇଟାଭାଟି ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇ ଗୁରୁବାର ପୂର୍ବାହ୍ନରେ ପହଞ୍ଚତ୍ଥିଲା। ଗ୍ରାମବାସୀ ଏକାଠି ହୋଇ ତହସିଲଦାର ପଞ୍ଚାନନ ପାତ୍ରଙ୍କ ଗାଡ଼ିକୁ ଘେରିଯିବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ପ୍ରଶାସନିକ ଅଧିକାରୀମାନେ ବାଧ୍ୟ ହୋଇ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖି ଖାଲି ହାତରେ ଫେରିଛନ୍ତି।
ଦୀର୍ଘଦିନ ଧରି ଫୁଲାଡ଼ି ଅଞ୍ଚଳରେ ବେଆଇନ ଓ ସରକାରୀ ନିୟମକୁ ଉଲ୍ଲଂଘନ କରି ୪ଟି ଇଟାଭାଟି ଚାଲିଆସୁଛି। ଏହାକୁ ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ୍‌ କରାଯାଉଥିଲେ ମଧ୍ୟ ଇଟାଭାଟି ମାଲିକମାନେ ସରକାରଙ୍କ ନୋଟିସ୍‌କୁ ଖାତିର୍‌ କରୁ ନ ଥିଲେ। ଗତ ନଭେମ୍ବରରେ ଜିଲା ପ୍ରଶାସନ ପକ୍ଷରୁ ଇଟାଭାଟିଗୁଡ଼ିକୁ ବନ୍ଦ କରିବା ପାଇଁ ନୋଟିସ୍‌ କରାଯାଇଥିଲା। ଏହାକୁ ଅବମାନନା କରିବାରୁ ପୋଲିସ ସହାୟତାରେ ତହସିଲଦାର ପାତ୍ର ଉଚ୍ଛେଦ ପାଇଁ ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଗ୍ରାମବାସୀ, ଇଟାଭାଟିର ଶ୍ରମିକ ଓ ମାଲିକମାନେ ପ୍ରବଳ ବିରୋଧ କରିବା ଯୋଗୁ ପ୍ରଶାସନ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖିଛି। ଅନ୍ୟପକ୍ଷରେ ଇଟାଭାଟି ମାଲିକମାନେ ସରକାରୀ ନିୟମକୁ ଆଉ କିଛି ଦିନ କୋହଳ କରିବା ସହିତ ସେମାନଙ୍କୁ ୬ମାସ ସମୟ ଦେବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ତହସିଲଦାର ପଞ୍ଚାନନ ପାତ୍ର କହନ୍ତି, ଫୁଲାଡ଼ି ଅଞ୍ଚଳରେ ୪ଟି ଇଟାଭାଟି ବେଆଇନ ଭାବେ ଦୀର୍ଘଦିନ ଧରି ଚାଲିଆସୁଛି। ସେମାନଙ୍କୁ ବାରମ୍ବାର ନୋଟିସ୍‌ କରାଯାଇଥିଲେ ମଧ୍ୟ କର୍ଣ୍ଣପାତ କରି ନ ଥିବାରୁ ଉଚ୍ଛେଦ ପ୍ରକ୍ରିୟା ପାଇଁ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଇଟାଭାଟି ମାଲିକ, ଶ୍ରମିକ ଏବଂ ସ୍ଥାନୀୟ ଲୋକମାନେ ଅଧିକ ସଂଖ୍ୟକ ଆସି ରାସ୍ତାରୋକୋ କରିବା ସହ ଉଚ୍ଛେଦ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ୬ମାସ ସମୟ ଦେବାକୁ ଅନୁରୋଧ କରିଥିଲେ। ଏହାକୁ ଆଖି ଆଗରେ ରଖି ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଜିଲା ପ୍ରଶାସନ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।