ବୃହତ୍‌ ରକେଟ ଲଞ୍ଚର ପରୀକ୍ଷା କଲା ଉତ୍ତର କୋରିଆ

ସିଓଲ,୨୬ା୮: ଆମେରିକା ସହ ଅଣୁଅସ୍ତ୍ର କାର୍ଯ୍ୟକ୍ରମ ରୋକିବା ସମ୍ପର୍କରେ ଆଲୋଚନା ପୂର୍ବରୁ ଉତ୍ତର କୋରିଆ ଶନିିବାର ସର୍ବବୃହତ୍‌ ରକେଟ ଲଞ୍ଚର ପରୀକ୍ଷା କରିଛି। ନୂତନ ଭାବେ ବିକଶିତ ଏହି ଲଞ୍ଚରରୁ ଏକସଙ୍ଗେ ଏକାଧିକ ରକେଟ ଛଡ଼ାଯାଇପାରିବ। ବାସ୍ତବରେ ଏହା ଏକ ବଡ଼ ଅସ୍ତ୍ର। ଆମେରିକା ଓ ଦକ୍ଷିଣ କୋରିଆର ମୁକାବିଲା ପାଇଁ ସେନାବାହିନୀ ନିମନ୍ତେ ଏଭଳି ଅସ୍ତ୍ରର ଆବଶ୍ୟକତା ରହିଛି ବୋଲି ପରୀକ୍ଷାସ୍ଥଳରେ ଉପସ୍ଥିତ ଥିବା ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ ଉନ୍‌ କହିଛନ୍ତି। ପରୀକ୍ଷା ସଫଳ ହୋଇଥିବା ଉତ୍ତର କୋରିଆ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି। ନିକଟରେ ଆମେରିକା ଓ ଦକ୍ଷିଣ କୋରିଆ ସେନାବାହିନୀ ମିଳିତ ସମରାଭ୍ୟାସ କରିଥିଲେ। ଆକ୍ରମଣ ପାଇଁ ଏହା ସେମାନଙ୍କର ରିହରସାଲ୍‌ ବୋଲି ଉତ୍ତର କୋରିଆ କହିଥିଲା। ଏହାର ଜବାବରେ ଉତ୍ତର କୋରିଆ ଏକାଧିକ କ୍ଷେପଣାସ୍ତ୍ର ଓ ରକେଟ ପରୀକ୍ଷା କଲାଣି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ କିମ୍‌ଙ୍କ ମଧ୍ୟରେ ଆଣବିକ ବୁଝାମଣା ପୂର୍ବରୁ ନିଜକୁ ଅଧିକ ଶକ୍ତିଶାଳୀ ଦର୍ଶାଇବା ପାଇଁ ଉତ୍ତର କୋରିଆ ନିଜର ଅସ୍ତ୍ର ପ୍ରଦର୍ଶନ କରୁଥିତ୍ବା ବିଶେଷଜ୍ଞମାନେ କହିଛନ୍ତି। ଗତ ଫେବୃୟାରୀରେ ଭିଏତ୍‌ନାମରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ବୈଠକ ବିଫଳ ହୋଇଥିଲା। ଜୁନ୍‌ରେ କୋରିଆ ସୀମାରେ ଉଭୟ ପୁଣି ଥରେ ଆଲୋଚନା ଆରମ୍ଭ କରିବାକୁ ରାଜି ହୋଇଥିଲେ।

Share