ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ପୁଅ

ବାରିପଦା ଅଫିସ,୨୨ା୫: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମର ବୃଦ୍ଧା ମା’ ତୁଳସୀ ସିଂଙ୍କୁ ଦୁଇ ପୁଅ ପିଟିପିଟି ମାରି ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ତୁଳସୀଙ୍କ ଦୁଇ ପୁଅ ରବି ଏବଂ ରାଜକିଶୋର ଗୁରୁବାର ରାତିରେ ପ୍ରଚୁର ମଦ୍ୟପାନ କରି ଆସିଥିଲେ। ଘଟଣାକୁ ନେଇ ତୁଳସୀ ଦୁଇ ପୁଅଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଦୁଇ ପୁଅ ଉତ୍‌କ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ତୁଳସୀକୁ ଦୁଇଟି ଠେଙ୍ଗାରେ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲିଯାଇଥିଲା। ଶୁକ୍ରବାର ସକାଳେ ଘଟଣା ବିଷୟରେ ମୃତ ତୁଳସୀଙ୍କ ସ୍ବାମୀ ଏ ନେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁଇ ପୁଅଙ୍କୁ ଗିରଫ କରିଛି। ଦୁଇ ପୁଅଙ୍କୁ ଗିରଫ କରାଯାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।