ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ; ରାତିତମାମ ଉଜାଗର ରହିବେ ମହାପ୍ରଭୁ

ପୁରୀ ଅଫିସ, ୨୪ା୧୨: ଆସନ୍ତା ୨୬ ତାରିଖ ପୌଷ ଅମାବାସ୍ୟାରେ ହେବ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ। ଗୁରୁବାର ସକାଳ ୮ଘଣ୍ଟା ୨୦ ମିନିଟ୍‌ ୮ ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ ୩ ଘଣ୍ଟା ୯ ମିନିଟ୍‌ ପର୍ଯ୍ୟନ୍ତ ରହିବ। ସକାଳ ୯ଟା ୪୬ ମିନିଟ ୭ ସେକେଣ୍ଡରେ ମୋକ୍ଷ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେବେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ବୁଧବାର ରାତି ୮ଟା ୨୦ ମିନିଟ୍‌ରୁ ଅନ୍ନଭୋଜନ, ପାକତ୍ୟାଗ ଓ ଦେବନୀତି ନିଷେଧ। ଶିଶୁ, ବୃଦ୍ଧ, ରୋଗୀମାନଙ୍କ ପକ୍ଷେ ଏହି ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ଦେବନୀତି, ପାକ ଓ ଅନ୍ନଭୋଜନ କରାଯାଇପାରିବ। ଏହି ପରାଗ ଦର୍ଶନ ମେଷ, ବୃଷ, ମିଥୁନ, ଧନୁ, ମକର, ମୀନ ଏହି ୬ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅଶୁଭ। ସେହିପରି କର୍କଟ, ସିଂହ, କନ୍ୟା, ତୁଳା, ବିଛା ଓ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ନିମନ୍ତେ ପରାଗ ଦର୍ଶନ ଶୁଭ ବୋଲି କହିଛନ୍ତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ।

ଅନ୍ୟପକ୍ଷରେ ସୂର୍ଯ୍ୟୋପରାଗ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛିି। ଚନ୍ଦ୍ରଗ୍ରହଣ ହେଉ ଅବା ସୂର୍ଯ୍ୟୋପରାଗ ସ୍ପର୍ଶ ସମୟରେ କୌଣସି ଦେବଦେବୀ ମନ୍ଦିରରେ ଦେବନୀତି କରାଯାଏ ନାହି। ଶ୍ରୀମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଯେହେତୁ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଗ୍ରହରୂପୀ ଜନାର୍ଦ୍ଦନ, ତେଣୁ ତାଙ୍କର ଗ୍ରହଣ କିମ୍ବା ପରାଗ ସ୍ପର୍ଶ ପରେ ଦେବନୀତି ଆରମ୍ଭ ହୋଇଥାଏ। ଏହିଦିନ ମହାସ୍ନାନ ଓ ଖଇକୋରା ଭୋଗ ସହ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ତେବେ ସୂର୍ଯ୍ୟୋପରାଗ ପରିପ୍ରେକ୍ଷୀରେ ଗୁରୁବାର ରାତିରେ ଶ୍ରୀମନ୍ଦିରରେ ପହୁଡ଼ ହେବ ନାହିଁ। ଅର୍ଥାତ୍‌ ରାତିତମାମ ଉଜାଗର ରହିବେ ମହାପ୍ରଭୁ। ଶ୍ରଦ୍ଧାଳୁମାନେ ବି ଦାରୁବିଗ୍ରହଙ୍କୁ ଦର୍ଶନ କରିପାରିବେ। ୨୬ ତାରିଖ ସକାଳେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କର ପରାଗ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ପରାଗ ସାଦା ବେଶ ପରେ ପରାଗ ଭୋଗ, ମଇଲମ ବେଶ, ଗୋପାଳବଲ୍ଲଭ, ପହିଲି ଭୋଗ ଓ ସକାଳ ଧୂପ ନୀତି ହେବ। ଏହାପରେ ଗୁରୁବାର ମାଜଣା ଓ ଏକାନ୍ତ ଆଦି ଅନ୍ୟାନ୍ୟ ନୀତି କରାଯିବା ଲାଗି ନିର୍ଘଣ୍ଟ ହୋଇଛିି।