Categories: ଜାତୀୟ

ବିହାର-ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ: ନୀତି ଆୟୋଗ ରିପୋର୍ଟ

ନୂଆଦିଲ୍ଲୀ,୨୬।୬: ବିହାର ଏବଂ ଉତ୍ତରପ୍ରଦେଶରେ ସ୍ବାସ୍ଥ୍ୟ ସେବା ଅତି ଖରାପ ବୋଲି ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସ୍ବାସ୍ଥ୍ୟ ସୂଚକାଙ୍କ-୨୦୧୯ ରିପୋର୍ଟରେ ଦର୍ଶାଯାଇଛି। ବିହାର ୨୦ ଏବଂ ଉତ୍ତରପ୍ରଦେଶ ୨୧ତମ ସ୍ଥାନରେ ରହିଛନ୍ତି। ବିହାର ଏବଂ ଉତ୍ତରପ୍ରଦେଶରେ ଭାଜପା ସରକାର ଥିଲେ ମଧ୍ୟ ଏଠାରେ ସ୍ବାସ୍ଥ୍ୟ ସେବା ଖରାପ ରହିଛି। ବିହାରରେ କୁପୋଷଣ ଯୋଗୁ ଶିଶୁଙ୍କ ମୃତ୍ୟୁ ଜାରି ରହିଛି। ୨୦୧୫-୧୬ ତୁଳନାରେ ଏବେ ଏହି ଦୁଇ ରାଜ୍ୟରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବା ନୀତି ଆୟୋଗ କହିଛି। ସେହିପରି ଉତ୍ତରପ୍ରଦେଶରେ ୨୦୧୫-୧୬ରେ ସ୍ବାସ୍ଥ୍ୟ ସେବା ନିମ୍ନ ମାନର ଥିଲା ଏବଂ ଏହା ବର୍ତ୍ତମାନ ମଧ୍ୟ ଜାରି ରହିଛି। ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ରାଜ୍ୟ ମଧ୍ୟରେ କେରଳ ପ୍ରଥମସ୍ଥାନରେ ଥିବାବେଳେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ଏବଂ ମହାରାଷ୍ଟ୍ର ତୃତୀୟ ସ୍ଥାନରେ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଚଣ୍ଡିଗଡ଼ ପ୍ରଥମ, ଦାଦର-ନଗର ହବେଲୀ ଦ୍ୱିତୀୟ ଏବଂ ଲାକ୍ଷାଦ୍ୱୀପ ତୃତୀୟ ସ୍ଥାନରେ ରହିଛି। ଏହି ତାଲିକାରେ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଛି। ହରିୟାଣା, ରାଜସ୍ଥାନ ଏବଂ ଝାଡ଼ଖଣ୍ଡରେ ସ୍ବାସ୍ଥ୍ୟ ସେବାର ଶୀଘ୍ର ସୁଧାର ହୋଇଥିବା ରିପୋର୍ଟରେ କୁହାଯାଇଛି।

Share