Categories: ଜାତୀୟ

ବିହାରରେ ପ୍ରବଳ ବର୍ଷା: ୨୫ ମୃତ

ପାଟନା,୩୦ା୯: ବିହାରରେ କ୍ରମାଗତ ୩ ଦିନ ଲଗାଣ ବର୍ଷା ଫଳରେ ରାଜଧାନୀ ପାଟନା ସମେତ ବିଭିନ୍ନ ଜଲାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ଭାଗଲପୁର ଓ ଗୟା ଜିଲାରେ ୬ ଜଣ ଲେଖାଏ, ପାଟନାରେ ୫, କୈମୁର, ବେଗୁସରାଇ, ଜାମୁଇ, ସୀତାମଢ଼ି ଓ ସମସ୍ତିପୁର ଜିଲାରେ ୪ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ବର୍ଷା ଯୋଗୁ ରେଳ ଚଳାଚଳ ଓ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇଛି। ୧୨ଟି ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବାବେଳେ ୭ଟିକୁ ଅଧାରୁ ବାତିଲ ଓ ୨୦ଟି ଟ୍ରେନ୍‌ର ରୁଟ୍‌ରେ ପରିବର୍ତ୍ତନ କରାଯାଇଛି। ମୁଜାଫରପୁର, ପଶ୍ଚିମ ଚମ୍ପାରନ, ପୂର୍ବ ଚମ୍ପାରନ, ଦରଭଙ୍ଗା, ଗୟା, ଭୋଜପୁର ଓ ଭାଗଲପୁର ଜିଲାର ଅନେକ ଗ୍ରାମ ଜଳାର୍ଣ୍ଣବ ହୋଇଛି।
ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାବେଳେ କେତେକ ସ୍ଥାନରେ ରାସ୍ତା ଉପରେ ଡଙ୍ଗା ଚାଲୁଥିବା ଦେଖାଯାଇଛି। ତଳିଆ ଅଞ୍ଚଳ ଲୋକଙ୍କ ଘରେ ପାଣି ପଶିଯିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାଟନା ଓ ଅନ୍ୟ ଜିଲାରେ ରେଳଧାରଣା ପାଣିରେ ବୁଡ଼ି ରହିଛି। ଏନ୍‌ଡିଆର୍‌ଏଫ୍‌ର ୧୮ଟି ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ପାଟନା ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ମୁତୟନ କରାଯାଇଛି। ନାଳନ୍ଦା ମେଡିକାଲ କଲେଜ ହସ୍ପିଟାଲ, ଗାର୍ଡନିବାଗ ହସ୍ପିଟାଲ ସମେତ ଅନେକ ସରକାରୀ ଡାକ୍ତରଖାନାରେ ପାଣି ପଶିଯାଇଛି। ଫଳରେ ଜରୁରୀ ସେବା ବାଧାପ୍ରାପ୍ତ ହୋଇଛି। ବିହାରରେ ଗଙ୍ଗାନଦୀ ଓ ଏହାର ଉପନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।
ପାଟନାରେ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସହରର ବନ୍ୟାପ୍ଳାବିତ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବା ପାଇଁ ୩୨ଟି ବୋଟକୁ ନିୟୋଜିତ କରାଯାଇଛି। ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିତ୍ବାରୁ ଟ୍ରାଫିକ ଜାମ୍‌ ସମସ୍ୟା ସୃଷ୍ଟି କରିଛି।

Share