ବିସ୍ଥାପିତ ତାଲିକାରେ ସାମିଲ ନ କଲେ ଆନ୍ଦୋଳନ

କଳିଙ୍ଗନଗର,୪ା୨(ଡି.ଏନ.ଏ): କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା କାରଖାନା ପାଇଁ ଚାନ୍ଦିଆ, ବାଲିଗୋଠ, ଗୋବର ଘାଟି, କଳାମାଟିଆ, ବାଇଡୁବୁରୀ, ଗାଢପୁର, ଚମ୍ପାକୋଇଲି, ବାନ୍ଦରଗାଡିଆ, ବାମିୟାଗୋଠ, ମାନିଆପାତଳ, ଅମ୍ବଗଡିଆ ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ମାତ୍ର ଏଯାବତ୍‌ ସେମାନଙ୍କ ନାମ ବିସ୍ଥାପିତ ତାଲିକାରେ ଅର୍ନ୍ତଭୁକ୍ତ ହୋଇନାହିଁ। ଏନେଇ ପୂର୍ବରୁ ଏହି ଗ୍ରାମବାସୀ ଆନ୍ଦୋଳନ, ଧାରଣା ଆଦି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବାବେଳେ ସୋମବାର କଳିଙ୍ଗନଗର ଅତିରିକ୍ତ ଜିଲାପାଳ (ଏଡିଏମ୍‌)ଙ୍କ କାର୍ଯ୍ୟାଳୟରେ ୧୫ରୁ ଊର୍ଦ୍ଧ୍ୱ ଜମିହରା ଆଦିବାସୀ ପହଞ୍ଚି ୭ଦିନ ମଧ୍ୟରେ ସେମାନଙ୍କ ଦାବି ପୂରଣ କରିବାକୁ ଦାବିପତ୍ର ଦେଇଛନ୍ତି। ନଚେତ୍‌ ସେମାନେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ୨୦୧୦ ମସିହାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଧାରଣାରେ ବସିବା ପରେ ଜିଲାପାଳ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୧୦ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ସମାଧାନ ହୋଇପାରିଲା ନାହିଁ। ଏହାପରେ ୨୨।୨।୨୦୧୯ରୁ ୪।୩।୨୦୧୯ ପର୍ଯ୍ୟନ୍ତ ଟାଟା କାରଖାନା ଦ୍ୱାରା କ୍ଷତିଗ୍ରସ୍ତ ପରିବାର ଜମିହରା ଉନ୍ନୟନ କମିଟି ଗଠନ କରି ଯାଜପୁର ଜିଲାପାଳଙ୍କ ନିକଟରେ ଧାରଣାରେ ବସିଥିଲେ। ସେତେବେଳେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାରୁ ସେମାନେ ଅନ୍ଦୋଳନରୁ ଓହରି ଥିଲେ। ପୁନଶ୍ଚ ସେମାନଙ୍କ ସମସ୍ୟାର ସମାଧାନ ନ ହେବାରୁ ସୋମବାର ସମ୍ଭୁନାଥ ମହନ୍ତ, ଶିବ ସଏ, ମାଣିକ ଦରା, ଲାଣ୍ଡୁ ବାର୍ଲା, ରଞ୍ଜିତ ବାର୍ଲା, ରଞ୍ଜିତ କୁମାର ଜାମୁଦା ପ୍ରମୁଖଙ୍କ ନେତୃତ୍ୱରେ ୧୫ରୁ ଊର୍ଦ୍ଧ ଜମିହରା ପହଞ୍ଚତ୍ ସମସ୍ୟା ସମାଧାନ ପାଇଁ ଦାବିପତ୍ର ଦେଇଛନ୍ତି।