Categories: ଖେଳ

‘ବିସିସିଆଇର ବିଜୟ ହେବ’

ନୂଆଦିଲ୍ଲୀ,୨୪।୫-କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବରୁ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକ ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ନିର୍ଦ୍ଧାରିତ ସମୟରେ ହୋଇ ନ ପାରିବାରୁ ଆଇସିସି ଟି୨୦ ବିଶ୍ୱକପ୍‌ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହା ମଧ୍ୟରୁ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଗୋଟିଏ ପ୍ରତିଯୋଗିତା ଆୟୋଜନ ସମ୍ଭବ ହେବ। ଅର୍ଥାତ୍‌ ଟି୨୦ ବିଶ୍ୱକପ ବାତିଲ ହେଲେ ଯାଇ ଆଇପିଏଲ ସମ୍ଭବ ହୋଇପାରିବ। ଏ କ୍ଷେତ୍ରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବିଜୟ ହେବ ଏବଂ ଟି୨୦ ବିଶ୍ୱକପ ପରିବର୍ତ୍ତେ ଆଇପିଏଲ ହିଁ ଆୟୋଜନ ହେବ ବୋଲି ଆଇସିସିର ଗୁରୁତ୍ୱପୂର୍ଣ୍ଣ ବୈଠକର ଏକ ସପ୍ତାହ ପୂର୍ବରୁ ଏଭଳି ମତ ଦେଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ। ଆଗାମୀ ଆଇସିସି ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ବିସିସିଆଇ ବିରୋଧରେ କଡ଼ା ଆଭିମୁଖ୍ୟକୁ ଅପରିବର୍ତ୍ତିତ ରଖିଛନ୍ତି ଚାପେଲ। ବିଶ୍ୱକପରେ ୧୬ ଦଳ ଭାଗନେବାକୁ ଥିବାରୁ ଯୁକ୍ତିଯୁକ୍ତଭାବେ ଦେଖିଲେ ସାମ୍ପ୍ରତିକ ସ୍ଥିତିରେ ଆଇସିସି ପାଇଁ ନିଶ୍ଚିତ କଷ୍ଟକର ହେବ। ବିସିସିଆଇ ଯଦି ଅକ୍ଟୋବରରେ ଆଇପିଏଲ କରାଇବାକୁ ମନସ୍ଥ କରିଥାଏ ତେବେ ନିଶ୍ଚିତ ଏହାର ବାଟ ପାଇଯିବ ବୋଲି ଚାପେଲ କହିଛନ୍ତି। ଅନ୍ୟପକ୍ଷରେ ବିଶ୍ୱକପ ସ୍ଥଗିତ ରଖିବାକୁ ବିସିସିଆଇ ଚାପ ପକାଇବ ନାହିଁ ବୋଲି ଏହାର କୋଷାଧ୍ୟକ୍ଷ ଅରୁଣ ଧୁମାଲ ପ୍ରକାଶ କରିଛନ୍ତି। ଆମେ ବୈଠକରେ ସବିଶେଷ ଆଲୋଚନା କରିବୁ। ଚୂଡ଼ାନ୍ତ ନିଷ୍ପତ୍ତି ଆଇସିସି ନେବ। ଯଦି ଅଷ୍ଟ୍ରେଲିଆ ସରକାର ବିଶ୍ୱକପ ଆୟୋଜନ ପାଇଁ ଘୋଷଣା କରନ୍ତି ଏବଂ କ୍ରିକେଟ ଅଷ୍ଟ୍ରେଲିଆ ଆତ୍ମବିଶ୍ୱାସର ସହ ଏହା ହୋଇ ପାରିବ ବୋଲି ଅନୁଭବ କରେ ତେବେ ବିସିସିଆଇ ଅନ୍ୟ କିଛି ପ୍ରସ୍ତାବ ଦେବନାହିଁ ବୋଲି ସେ କହିଛନ୍ତି।

Share