ବିଷାକ୍ତ ମଦ ପିଇ ଜଣେ ମୃତ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ପଦ୍ମପୁର,୧୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର – ପାରାପୋଖରୀ ଗ୍ରାମର ନାରାୟଣ ନାୟକ (୪୨) ମଦ ପିଇ ରବିବାର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଗ୍ରାମବାସୀ ସୋମବାର ସକାଳେ ଧାମରା-ବାସୁଦେବପୁର ରାସ୍ତାର ପାରାପୋଖରୀ ଛକଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିବାବେଳେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପୋଲିସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି।