ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ିଲା ପାକ୍‌

ଇସ୍‌ଲାମାବାଦ,୯।୮(ପି.ଟି.):କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗୁରୁବାର ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡିଛନ୍ତି। କଶ୍ମୀରବାସୀଙ୍କ ଉପରେ ଭାରତ ସାମରିକ ବଳ ପ୍ରୟୋଗ କରୁଛି। ଅନ୍ତର୍ଜାତୀୟ ସମୁଦାୟର ନୈତିକ ସାହସ ଥିଲେ ଭାରତର ଏଭଳି ପଦକ୍ଷେପକୁ ବନ୍ଦ କରୁ ବୋଲି ସେ କହିଛନ୍ତି। କର୍ଫ୍ୟୁ ଉଠିବା ପରେ କଶ୍ମୀରରେ କ’ଣ ଘଟିବ ତାହାକୁ ସାରା ବିଶ୍ୱ ଅପେକ୍ଷା କରିଛି ବୋଲି ଇମ୍ରାନ୍‌ କହିଛନ୍ତି। ଅତ୍ୟଧିକ ସାମରିକ ବଳ ପ୍ରୟୋଗ କରି ଭାଜପା ସରକାର କଶ୍ମୀରବାସୀଙ୍କ ସ୍ବାଧୀନତା ଆନ୍ଦୋଳନକୁ ବନ୍ଦ କରିଦେଇପାରିବ ନାହିଁ। ଏହି ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଇମ୍ରାନ୍‌ ଟୁଇଟ୍‌ କରିଛନ୍ତି। ଅନ୍ୟପକ୍ଷରେ ଭାରତ ଯଦି କଶ୍ମୀର ପ୍ରସଙ୍ଗରେ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରେ ତେବେ ପାକିସ୍ତାନ ନେଇଥିବା ନିଷ୍ପତ୍ତିର ସମୀକ୍ଷା କରିବାକୁ ପ୍ରସ୍ତୁତ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଗୁରୁବାର କହିଛନ୍ତି। ବୁଧବାର ପାକିସ୍ତାନ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବରଖାସ୍ତ କରିବା ସହ ନୂଆଦିଲ୍ଲୀ ସହ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଥିଲା। ଏହାର ପୁନର୍ବିଚାର କରିବା ପାଇଁ ଭାରତ ପକ୍ଷରୁ ଇସ୍‌ଲାମାବାଦକୁ କୁହାଯାଇଥିଲା। ପାକିସ୍ତାନ କୂଟନୈତିକ ସମ୍ପର୍କ ଛିନ୍ନ କରି ବିଶ୍ୱ ସମ୍ମୁଖରେ ଦ୍ୱିପାକ୍ଷିକ ସମ୍ପର୍କର ଏକ ଭୟାନକ ଚିତ୍ର ଉପସ୍ଥାପନ କରିବାକୁ ଉଦ୍ୟମ କରୁଥିବା ଭାରତ ଅଭିଯୋଗ କରିଥିଲା। ଇସ୍‌ଲାମାବାଦ ଏହାର ନିଷ୍ପତ୍ତିର ସମୀକ୍ଷା କରୁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ତେବେ ଜମ୍ମୁ-କଶ୍ମୀରରୁ ଭାରତ ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରିବା ଏହାର ଏକପାଖିଆ ଏବଂ ବେଆଇନ ନିଷ୍ପତ୍ତି ବୋଲି ପାକ୍‌ କହିଛି। ଯଦି ନୂଆଦିଲ୍ଲୀ କଶ୍ମୀର ନିଷ୍ପତ୍ତିର ପରିବର୍ତ୍ତନ ପାଇଁ ପ୍ରସ୍ତୁତ ତେବେ ଭାରତ ସହ ସମସ୍ତ ଦ୍ୱିପାକ୍ଷିକ ବ୍ୟବସ୍ଥାର ସମୀକ୍ଷା କରିବାକୁ ଇସ୍‌ଲାମାବାଦ ଆଗ୍ରହୀ। ସିମ୍‌ଲା ରାଜିନାମା ଅନୁଯାୟୀ ସମୀକ୍ଷା ଉଭୟ ପକ୍ଷରୁ ହେବା ଆବଶ୍ୟକ ବୋଲି କୁରେଶୀ କହିଛନ୍ତି।

Share