Categories: ଖେଳ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ : ଅମିତ ପଙ୍ଘାଲଙ୍କ ସହଜ ବିଜୟ

ଏକାଟରିନବର୍ଗ (ରୁଷିଆ), ୧୪ା୯ (ପି.ଟି.)-ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ ସହଜ ବିଜୟ ସହ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ତାଙ୍କ ପଦକ ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର ସେ ଚାଇନିଜ ତାଇପେର ତୁ ପୋ-ଓ୍ବି’ଙ୍କ ବିପକ୍ଷ ତାଙ୍କ ଓପନିଂ ବାଉଟରେ ବିଜୟ ଲାଭ କରିଛନ୍ତି। ଏଠାରେ ଦ୍ୱିତୀୟ ସିଡ୍‌ ତଥା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ୨୩ବର୍ଷୀୟ ପଙ୍ଘାଲ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫-୦ରେ ପରାସ୍ତ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଭାରତୀୟ ବକ୍ସରଙ୍କୁ ପ୍ରଥମ ରାଉଣ୍ଡରେ ବାଇ ମିଳିଥିଲା। ପୋ-ଓ୍ବିଙ୍କ ବିପକ୍ଷରେ ପଙ୍ଘାଲ ଆରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପ୍ରଥମ ରାଉଣ୍ଡ ସହଜରେ ଜିତିନେଇଥିଲେ। ତାଇପେ ବକ୍ସର ଅଧିକାଂଶ ସମୟ ପଙ୍ଘାଲଙ୍କୁ ମୁହଁମୁହିଁ ହେବାକୁ ଏଡାଇଯାଉଥିବା ଦେଖି ରେଫରି ତାଙ୍କୁ ତାଗିଦ କରିବାକୁ ବାଧ୍ୟ ହୋଇଥିଲେ। ହମବର୍ଗଠାରେ ବିଶ୍ୱ ଚାମ୍ପିୟନଶିପ୍‌ର ଗତ ସଂସ୍କରଣ କ୍ୱାର୍ଟରଫାଇନାଲିଷ୍ଟ ପଙ୍ଘାଲଙ୍କୁ ଚ୍ୟାଲେଞ୍ଜ କରିବାରେ ପୋ-ଓ୍ବି ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ବର୍ଷେ ହେଲା ପଙ୍ଘାଲ ଜବରଦସ୍ତ ଫର୍ମରେ ଅଛନ୍ତି। ସେ ତାଙ୍କ ଓଜନ କାଟେଗୋରି ୪୯କେଜିରୁ ୫୨କେଜିକୁ ପରିବର୍ତ୍ତନ କରିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ସେତେଟା ପ୍ରଭାବ ପଡ଼ିନାହିଁ।

Share