Categories: ଖେଳ

ବିଶ୍ୱ ଟାଇଟଲ ବଜାୟ ରଖିଲେ ଗୁର୍ଜାର

ଦୁବାଇ, ୧୧ା୧୧ (ପି.ଟି.)-ଭାରତର ସୁନ୍ଦର ସିଂ ଗୁର୍ଜାର ପୁରୁଷ ଏଫ୍‌୪୬ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ବିଶ୍ୱ ପାରା ଆଥଲେଟିକ୍ସ ଟାଇଟଲ ବଜାୟ ରଖିଛନ୍ତି। ଏଥିସହିତ ସେ ଟୋକିଓ ଅଲିମ୍ପିକ୍‌ ଗେମ୍ସ କୋଟା ହାସଲ କରିପାରିଛନ୍ତି। ଶ୍ରୀଲଙ୍କାର ଦୀନେଶ ପି. ହେରାଥ୍‌ (୬୦.୫୯ ମିଟର) ଦ୍ୱିତୀୟ ହୋଇଛନ୍ତି। ଭାରତର ଅଜିତ୍‌ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ଗୁର୍ଜାର ସିଜନର ଶ୍ରେଷ୍ଠ ପ୍ରଦର୍ଶନ ସହ ଶ୍ରେଷ୍ଠ ପ୍ରଚେଷ୍ଟା ‘୬୧.୨୨ ମିଟର ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅଜିତ୍‌ ସିଂ ୫୯.୪୬ ମିଟର ଦୂର ଜାଭେଲିନ୍‌ ଫିଙ୍ଗିବା ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ରିଙ୍କୁ ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ଦୁଇଜଣ ମଧ୍ୟ ଅଲିମ୍ପିକ କୋଟା ହାସଲ କରିଛନ୍ତି। ଇଣ୍ଟରନ୍ୟାନାଲ ପାରା ଅଲିମ୍ପିକ ନିୟମାନୁସାରେ ୨୦୧୯ ବିଶ୍ୱ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଶ୍ରେଷ୍ଠ ୪ ର଼୍ୟାଙ୍କିଙ୍ଗପ୍ରାପ୍ତ ଆଥଲେଟ୍‌ ଟୋକିଓ ୨୦୨୦ ପାରା ଅଲିମ୍ପିକ ପ୍ରୋଗ୍ରାମ୍‌ (ମାରାଥନକୁ ବାଦ୍‌ ଦେଇ) ସେମାନଙ୍କ ଦେଶ ତରଫରୁ ପ୍ରତିନିଧିତ୍ୱ ଯୋଗ୍ୟତା ଅର୍ଜନ କରିବେ। ୨୩ ବର୍ଷୀୟ ଗୁର୍ଜାର ୨୦୧୭ ଲଣ୍ଡନ ବିଶ୍ୱ ଟାଇଟଲ ବଜାୟ ରଖିବା ସହ ଦୁଇ ଥର ବିଶ୍ୱ ଚାମ୍ପିୟନଶିପ୍‌ ପଦକ ଜିତିବାରେ ଦ୍ୱିତୀୟ ଭାରତୀୟ ହୋଇ ପାରିଛନ୍ତି। ପୂର୍ବରୁ ଦେବେନ୍ଦ୍ର ଝାଝାରିଆ ଯଥାକ୍ରମେ ୨୦୧୩ ଲିଅନ ଏବଂ ୨୦୧୫ ଦୋହା ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଏବଂ ରୌପ୍ୟ ଜିତିଥିଲେ।

Share