Categories: ଖେଳ

ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରିଲେ ମାରିନ

ନୂଆଦିଲ୍ଲୀ,୫।୮- ରିଓ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକଧାରୀ କାରୋଲିନା ମାରିନ ଆଗାମୀ ବିଡ୍‌ବ୍ଲୁଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରୁ ଓହରି ଯାଇଛନ୍ତି। ଅହତ ସମସ୍ୟା ଦେଇ ଗତି କରୁଥିବା ସ୍ପାନିଶ ଖେଳାଳି ଇଭେଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇପାରିବେ ନାହିଁ ଜାଣିବା ପରେ ଏହି ଘୋଷଣା କରିଛନ୍ତି। ଚଳିତ ବର୍ଷ ଜାନୁୟାରୀ ୨୬ ତାରିଖରେ ଇଣ୍ଡୋନେସିଆ ମାଷ୍ଟର୍ସ ଫାଇନାଲରେ ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ସେହି ମାସ ୨୯ ତାରିଖରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସେତେବେଳେ ସେ ବାସେଲଠାରେ ଚଳିତ ମାସ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବା ନେଇ କହିଥିଲେ। ହେଲେ ଡିଫେଣ୍ଡିଂ ଚାମ୍ପିୟନ ସେବେଠାରୁ କୋର୍ଟରୁ ଦୂରେଇ ରହିଛନ୍ତି। ମୁଁ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବି ନାହିଁ ବୋଲି ନିଷ୍ପତ୍ତି ନେଇଛି। ସମ୍ପୂର୍ଣ୍ଣ ଫିଟ୍‌ ଲାଗି ସମୟ ଲାଗିବ। ଏଣୁ ମୋତେ ସେପ୍ଟେମ୍ବର ପର୍ଯ୍ୟନ୍ତ କୋର୍ଟଠାରୁ ଦୂରେଇ ରହିବାକୁ ପଡ଼ିବ ବୋଲି ମାରିନ ଏକ ଭିଡିଓରେ କହିଛନ୍ତି। ସେ ଓହରି ଯିବାରୁ ତାଙ୍କ ବଦଳରେ ଥାଇଲାଣ୍ଡ ନଚାଓନ ଜିନ୍ଦାପଲ ଟୁର୍ନାମେଣ୍ଟରେ ଖେଳିବେ। ଅନ୍ୟପକ୍ଷରେ ଭାରତୀୟ ଅଗ୍ରଣୀ ପୁରୁଷ ସିଙ୍ଗଲ୍ସ ଶଟଲର ଏଚ୍‌.ଏସ୍‌. ପ୍ରନୟଙ୍କୁ ମଧ୍ୟ ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଆମନ୍ତ୍ରଣ ମିଳିଛି। ପୂର୍ବତନ ଚାମ୍ପିୟନ ଭିକ୍ଟର ଆଲସେନ ଓ ଚାଇନାର ଶି ୟୁକି ଓହରିବାକୁ ଯୋଗୁ ପ୍ରନୟଙ୍କୁ ସୁଯୋଗ ମିଳିଛି। ତାଙ୍କ ବ୍ୟତୀତ କିଡାମ୍ବି ଶ୍ରୀକାନ୍ତ, ସମୀର ବର୍ମା ଓ ବି ସାଇ ପ୍ରଣୀଥ ମଧ୍ୟ ଅଂଶଗ୍ରହଣ କରିବେ।

Share