ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିବସ: ଓଡ଼ିଶା ବିବିଧତାର ସୁନ୍ଦର ରାଜ୍ୟ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଓଡ଼ିଶା ହେଉଛି ବିବିଧତାର ଏକ ସୁନ୍ଦର ରାଜ୍ୟ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ଭାସ୍କର୍ଯ୍ୟ ହେଉଛି ସମୃଦ୍ଧଶାଳୀ। ଏ ସବୁର ପ୍ରଚାର ଓ ପ୍ରସାର ପାଇଁ କବିତା ଏକ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ପରାମର୍ଶଦାତା ଆର. ବାଲ୍‌କ୍ରିଷ୍ଣନ୍‌ କହିଛନ୍ତି। ଶୁକ୍ରବାର କୋଣାର୍କଠାରେ ଆୟୋଜିତ ୩୯ତମ କବି ସମ୍ମିଳନୀର ପର୍ଯ୍ୟଟନ କବିତା ଅଧିବେଶନରେ ବାଲ୍‌କ୍ରିଷ୍ଣନ୍‌ ଯୋଗଦେଇ ‘କୋଣାର୍କ: ଜଣା ଅଜଣା’ ଉପରେ ବକ୍ତୃତା ପ୍ରଦାନ କରି କହିଥିଲେ। କୋଣାର୍କ ହେଉଛି ବିଶ୍ୱର ସବୁଠାରୁ ସୁନ୍ଦର ଓ ଆଶ୍ଚର୍ଯ୍ୟଜନକ ଭାସ୍କର୍ଯ୍ୟ, ଯାହାର ଶୋଭା ଓ ଗାରିମା କାହିଁ କେଉଁ କାଳରୁ ଲିଖିତ ହୋଇରହିଛି। କୋଣାର୍କ ମନ୍ଦିରର ଇତିହାସ ଓ ସୂର୍ଯ୍ୟ ଉପାସନାର ତାତ୍ପର୍ଯ୍ୟର ବ୍ୟାଖ୍ୟା କରିଲେ ତା’ର ସୌନ୍ଦର୍ଯ୍ୟ ଆହୁରି ଶାଣିତ ହୁଏ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ଭାସ୍କର୍ଯ୍ୟକୁ କବି ତାଙ୍କ କବିତା ମାଧ୍ୟମରେ ପ୍ରଚାର ପ୍ରସାର କରିବା ଜରୁରୀ। ଏହାସହ ଓଡ଼ିଶାରେ ଅନେକ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ଏ ଦିଗରେ କବିମାନେ କବିତା ମାଧ୍ୟମରେ ସହଯୋଗ କରିପାରିବେ ବୋଲି ସେ କହିଥିଲେ।
ୱାର୍ଲଡ୍‌ ଏକାଡେମୀ ଅଫ୍‌ ଆର୍ଟସ ଆଣ୍ଡ୍‌ କଲଚର (ୱାକ୍‌)ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ ଏହି ଉତ୍ସବରେ ସ୍ବାଗତ ଭାଷଣ ଦେଇଥିବାବେଳେ ୱାକ୍‌ର ସାଧାରଣ ସମ୍ପାଦିକା ଡ. ମାରିଆ ଇଉଜେନିଆ ସୋବେରନିସମ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପର୍ଯ୍ୟଟନ ଉପରେ ଇଂରାଜୀ, ଚାଇନା, ସ୍ପେନ ଓ ହିନ୍ଦୀ ଭାଷାରେ ସମାନ୍ତରାଳ କବିତା ପାଠ ଅନୁଷ୍ଠିତ ହୋଇଥିଲା। ପରେ ୮୨ଦେଶର କବି କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ଏହାର କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।