Categories: ଖେଳ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୧୫୦୦ ମିଟର: ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଚିତ୍ରା ବାଦ୍‌

ଦୋହା, ୩।୧୦(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୫୦୦ ମିଟର ରେସ୍‌ର ହିଟ୍‌ରେ ଭାରତର ପି.ୟୁ. ଚିତ୍ରା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ହେଁ ଆଗକୁ ବଢ଼ିବାରେ ବିଫଳ ହୋଇଛନ୍ତି। ଏସିଆନ ଚାମ୍ପିୟନ ଚିତ୍ରା ୪:୧୧.୧୦ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିଥିଲେ। ମାତ୍ର ୨ ନମ୍ବର ହିଟ୍‌ରେ ତାଙ୍କୁ ୮ମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୩୫ ରନର ବିଶିଷ୍ଟ ରେସ୍‌ରେ ସେ ୩୦ତମ ସ୍ଥାନରେ ରହିଥିଲେ। ୩ଟି ହିଟ୍‌ରୁ ଶୀର୍ଷ ୬ ଜଣ ଏବଂ ଅବଶିଷ୍ଟ ୬ ଶ୍ରେଷ୍ଠ ସମୟଧାରୀ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ୧୦,୦୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ନେଦରଲାଣ୍ଡ୍ସର ହାସନ ସିଫାନ ୪:୦୩.୮୮ ସେକେଣ୍ଡ ସମୟ ନେଇ ସେମିଫାଇନାଲରେ ପ୍ରବେଶ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଶୀର୍ଷରେ ରହିଥିଲେ। ପୂର୍ବରୁ ଚିତ୍ରାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୪:୧୧.୫୫ ସେକେଣ୍ଡ। ଏହାକୁ ସେ ଗତବର୍ଷ ଗୁଆହାଟୀରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଚାମ୍ପିୟନଶିପ୍‌ରେ ହାସଲ କରିଥିଲେ। ୨୪ ବର୍ଷୀୟା ଚିତ୍ରା ଏହି ଦୋହା ଟ୍ରାକ୍‌ରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ୪:୧୪.୫୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ।

Share