Categories: ଖେଳ

ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ ଡୋନାଲ୍ଡ ଟ୍ରମ୍ପ

ଅହମଦାବାଦ୍‌,୧୩।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଟ୍ରମ୍ପଙ୍କ ସମ୍ମାନାର୍ଥେ ଗୁଜରାଟର ଅହମ୍ମଦାବାଦଠାରେ ‘କେମ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ହ୍ୟୁଷ୍ଟନରେ ‘ହାଓଡି ମୋଦି’ ଶୈଳୀରେ ‘କେମ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାସହ ଟ୍ରମ୍ପ ସ୍ଥାନୀୟ ମୋଟେରାଠାରେ ପୁନନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ୧ଲକ୍ଷ ୨୫ହଜାର ଜନତା ଉପସ୍ଥିତ ରହିବା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ମୋଟେରା ଷ୍ଟାଡିୟମରେ ୫୩ହଜାର ଦର୍ଶକ ବସିବା କ୍ଷମତା ରହିଥିଲା। ଏବେ ଏହାକୁ ୧୦୦ନିୟୁତ ଡଲାର ବ୍ୟୟରେ ବିଶ୍ବର ସର୍ବବୃହତ୍‌ ଷ୍ଟାଡିୟମ ଭାବେ ନିର୍ମାଣ କରାଯାଇଛି। ଏହାର କ୍ଷମତା ୧ଲକ୍ଷ ୨୫ହଜାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
୨୦୧୭ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ଆକାର ପ୍ରାୟତଃ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡ ଭଳି ହୋଇଛି। ବାଉଣ୍ଡାରି ୧୭୦ ମିଟର। ଏଠାରେ ମୋଟ ୧୧ ପିଚ ରହିଛି। ଗତ ୩ ଦଶନ୍ଧିରେ ମୋଟେରା ଗ୍ରାଉଣ୍ଡରେ ଭାରତୀୟ ଦଳର ବହୁ ସ୍ମରଣୀୟ ସ୍ମୃତି ରହିଛି। ୧୯୮୭ରେ ସୁନୀଲ ଗାଭାସ୍କର ଏଠାରେ ଟେଷ୍ଟ କ୍ୟାରିୟରରେ ୧୦ ହଜାର ରନ ପୂରଣ କରିବା ସହ ୧୯୯୩ରେ ରିଚାର୍ଡ ହାର୍ଡଲିଙ୍କୁ ଅତିକ୍ରମ କରି କପିଲ ଦେବ ୪୩୪ ଉଇକେଟ, ୧୯୯୯ରେ ସଚିନ ତେନ୍ଦୁଲକରଙ୍କ ପ୍ରଥମ ଦ୍ୱିଶତକ ଓ ୨୦୧୧ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷ କ୍ୱାର୍ଟର ଫାଇନାଲ ବିଜୟ ଭଳି ଅଭୁଲା ସ୍ମୃତି ରହିଛି।

Share