Categories: ଫୁରସତ

ବିଶ୍ୱର ସର୍ବକନିଷ୍ଠ ତାସ ଖେଳାଳି: ‘ବ୍ରିଜ୍‌’ ଖେଳି ସୃଷ୍ଟିକଲେ ରେକର୍ଡ

ବେଳେବେଳେ ପିଲାମାନେ ଏପରି କିଛି କରିପାରନ୍ତି ଯାହା କି ବୟସ୍କମାନେ ପାରନ୍ତି ନାହିଁ। ଏହିପରି ଜଣେ ଶିଶୁ ଆମେରିକାର କାଲିଫର୍ନିଆରେ ଅଛନ୍ତି। ସେ ଏପରି କିଛି କରିଛନ୍ତି , ଯାହା ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ମାତ୍ର ୮ ବର୍ଷ ବୟସର ଏହି ପିଲା ବିଶ୍ୱର ସର୍ବ କନିଷ୍ଠ ‘ତାସ’ ଖେଳାଳି ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏହି ଶିଶୁଙ୍କ ନାମ ହେଉଛି ଆଣ୍ଡ୍ରିୟୁ ଚେନ୍‌। ଏହି ଖେଳର ନାଁ ହେଉଛି ‘ବ୍ରିଜ୍‌’। ଏହା ଏକ ପ୍ରସିଦ୍ଧ କାର୍ଡ ବା ତାସ୍‌ ଖେଳ।
ତାସ ଖେଳ ପାଇଁ ଉତ୍ସର୍ଗୀକୃତ ବିଶ୍ୱର ସର୍ବବୃହତ ସଂଗଠନ ଆମେରିକୀୟ କଣ୍ଟ୍ରାକ୍ଟ ବ୍ରିଜ୍‌ ଲିଗ୍‌ ଦ୍ୱାରା ଆଣ୍ଡ୍ରିୟୁଙ୍କୁ ଲାଇଫ୍‌ ମାଷ୍ଟର ଆଖ୍ୟା ଦିଆଯାଇଛି। ଆମେରିକୀୟ କଣ୍ଟ୍ରାକ୍ଟ ବ୍ରିଜ୍‌ ଲିଗ୍‌ ଅନୁଯାୟୀ, ଜଣେ ଖେଳାଳି ନାମୀ କ୍ଲବରେ ଖେଳିଲେ ୫୦୦ ମାଷ୍ଟର ପଏଣ୍ଟ ସଂଗ୍ରହ କରିବାକୁ ବର୍ଷ ବର୍ଷ ଲାଗିଥାଏ। କିନ୍ତୁ ଆଣ୍ଡ୍ରିୟୁ କେବଳ ସ୍ଥାନୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଅନ୍‌ଲାଇନ ଖେଳିବା ଦ୍ୱାରା ଏତେ ପଏଣ୍ଟ ହାସଲ କରିଛନ୍ତି। ଏହି ଖେଳ ବିଶ୍ୱରେ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହୋଇଛି।
ଆଣ୍ଡ୍ରିୟୁ ଟାଇଟଲ ହାସଲ କରିବା ପରେ ସୋସିଆଲ ମିଡିଆରେ ଷ୍ଟାର୍‌ ପାଲଟିଯାଇଛନ୍ତି। ଆଣ୍ଡ୍ରିୟୁ କହିଛନ୍ତି ଯେ, ସେ ତାଙ୍କ ଭାଇ ଚାର୍ଲି (୧୦)ଙ୍କ ସହ ଗତବର୍ଷ ଏକ ଟୁର୍ନାମେଣ୍ଟ ଜିତିଥିଲେ। ଯାହାକି ସର୍ବ କନିଷ୍ଠ ‘ବ୍ରିଜ’ ଖେଳାଳି ଆଖ୍ୟା ତାଙ୍କ ପରିଶ୍ରମର ଫଳ। ଆଜି ସେ ଏହି ସ୍ଥାନରେ ପହଞ୍ଚିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।
ଖାଲି ଆଣ୍ଡ୍ରିୟୁ ନୁହନ୍ତି, ତାଙ୍କ ପୂରା ପରିବାର ‘ବ୍ରିଜ ପ୍ଲେୟାର୍‌’ ହୋଇଆସୁଛନ୍ତି। ତାଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ମାତାପିତା ସମସ୍ତେ ଏହି ଖେଳ ଖେଳିଥାନ୍ତି। ଆଣ୍ଡ୍ରିୟୁଙ୍କ ପିତା ଷ୍ଟିଭ୍‌ ଚେନ୍‌ କହିଛନ୍ତି, ‘ବ୍ରିଜ୍‌’ ହେଉଛି ତାଙ୍କ ପରିବାରର ଖେଳ। ଯାହା ତାଙ୍କ ଘରେ ପରମ୍ପରା ଭାବରେ ଖେଳାଯାଇଥିଲା। ଏହି କାରଣରୁ ଆଣ୍ଡ୍ରିୟୁ ଏତେ କମ୍‌ ବୟସରେ ଜଣେ ମହାନ ଖେଳାଳି ଭାବେ ପରିଚିତି ଲାଭ କରିପାରିଛନ୍ତି।

Share