ବିଶ୍ୱର ସବୁଠାରୁ ହାଲୁକା ମିଠା

ଲଣ୍ଡନ: ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା ମିଳିଥାଏ। ଭାରତରେ ତ ଏହାର ସଂଖ୍ୟା ଅନେକ। ହେଲେ ଏମିତି ଏକ ମିଠା ବିଷୟରେ ଆମେ ଜାଣିବା ଯାହା ସବୁଠାରୁ ଭିନ୍ନ। କେହି କେବେହେଲେ ଏମିତି ମିଠା ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ। ବ୍ରିଟେନ୍‌ର ଜଣେ ମିଠା ଦୋକାନୀ ବିଶ୍ୱର ସବୁଠାରୁ ହାଲ୍‌କା ମିଠା ତିଆରି କରିଛନ୍ତି। ଏହାର ବିଶେଷତ୍ୱ ହେଉଛି, ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକଙ୍କ ସହାୟତା ନିଆଯାଇଛି। ଏହି ମିଠାର ଓଜନ ମାତ୍ର ୧ ଗ୍ରାମ୍‌। ଏଥିରେ ୯୬% ବାୟୁ ରହିଥିବା ବେଳେ ମାତ୍ର ୪% ମିଠା ରହିଛି। ଏହି ମିଠାକୁ ଲଣ୍ଡନରେ ଥିବା ଡିଜାଇନର ଷ୍ଟୁଡିଓ ବୋମପାସ ଆଣ୍ଡ୍‌ ପାର କାରିଗରମାନେ ଏରୋଜେଲେକ୍ସ ଲାବୋରେଟରୀର ବୈଜ୍ଞାନିକଙ୍କ ସହ ମିଶି ତିଆରି କରିଛନ୍ତି। ଏହାକୁ ଜର୍ମାନର ହୈମ୍‌ବର୍ଗରେ ତିଆରି କରାଯାଇଛି। ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକମାନେ ସର୍ବପ୍ରଥମେ ବିଶ୍ୱର ସବୁଠାରୁ ହାଲୁକା ସଲିଡ୍‌ ପଦାର୍ଥକୁ ଖାଇବାଯୋଗ୍ୟ କରିଥିଲେ। ପରେ ସେଥିରେ ମିଠା ତିଆରି କଲେ। ଏହି ମିଠାକୁ ଆରୋଓ୍ବେଲ୍‌ରୁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି। ଆରୋଓ୍ବେଲ ବିଶ୍ୱର ସବୁଠାରୁ ହାଲୁକା ପଦାର୍ଥ। ତେବେ ଏହି ମିଠାର ସ୍ବାଦ କିପରି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Share