ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି ଗୋଟିଏ ଘଡିଆଲ କୁମ୍ଭୀର ତା’ର ଛୁଆଙ୍କୁ ପାଣିରୁ ଛାଣି କୂଳକୁ ଆଣିବାକୁ ଚେଷ୍ଟା କରୁଛି। ଏଥିପାଇଁ ସୋସିଆଲ ମିଡିଆ ୟୁଜର୍ସ ଏହି ଫଟୋଟିକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଫଟୋଟିକୁ ଆଇଏଫ୍‌ଏସ୍‌ ଅଧିକାରୀ ପ୍ରବିନ କାଶଓ୍ବାନ ଶେୟାର କରିଥିବା ଜଣାପଡିଛି। ଯେଉଁଥିରେ ଗୋଟିଏ ଘଡିଆଲ କୁମ୍ଭୀର ତା’ର ଛୁଆଙ୍କୁ ପିଠିରେ ବସାଇ ନଈ ପାର ହୋଇ କୂଳକୁ ଆସିବାକୁ ଉଦ୍ୟମ କରୁଛି। ଏହି ଫଟୋଟିକୁ ଧ୍ରିତିମାନ ମୁଖାର୍ଜୀ ଉଠାଇଥିବା ସେ ଲେଖିଛନ୍ତି। ଏମାନଙ୍କ ସଂରକ୍ଷଣ ହିଁ ଏମାନଙ୍କ ପ୍ରଜାତିର ବଂଶ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଫେବୃୟାରୀ ୬ରେ ଶେୟାର କରାଯାଇଥିବା ଏହି ଫଟୋଟିକୁ ଏପର୍ଯ୍ୟନ୍ତ ୫ ହଜାର ଲାଇକ୍‌ ମିଳିବା ସହ ୧ ହଜାରରୁ ଅଧିକ କମେଣ୍ଟ ମିଳି ସାରିଲାଣି। କମେଣ୍ଟ ବକ୍ସରେ ଅଧିକାଂଶ ୟୁଜର୍ସ ଲେଖିଛନ୍ତି, ‘ ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା’। ଏହି ଫଟୋରେ ବହୁତ କିଛି ଶିଖିବାକୁ ଅଛି ବୋଲି କେହି କେହି ଲେଖିଛନ୍ତି।

Share