Categories: ଫୁରସତ

ବିଶ୍ୱର ସବୁଠାରୁ ଦାମୀ ମଦ

ମଦର ଦାମ୍‌ ଭାରତରେ ୫ରୁ ୧୦ ହଜାର ଭିତରେ ହେଲେ ଏହାକୁ ଦାମୀ ମଦ ବୋଲି କୁହାଯାଏ। ହେଲେ ୟୁରୋପର ପ୍ରମୁଖ ପର୍ଯ୍ୟଟନସ୍ଥଳ ଟୋକଜରେ ଏକ ମଦ ଉତ୍ପାଦକ ଏବେ ଏମିତି ଏକ ମଦ ତିଆରି କରିଛନ୍ତି ଯାହାର ଦେଢ ଲିଟରର ଦାମ୍‌ ପାଖାପାଖି ୨୮.୪୧ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ଏହାକୁ ବିଶ୍ୱର ସବୁଠାରୁ ଦାମୀ ମଦ ବୋଲି କୁହାଯାଉଛି। ଏହି ଲିମିଟେଡ ଏଡିସନ ମଦର ନାଁ ରହିଛି ଏସେନସିଆ ୨୦୦୮ ଡିସେଣ୍ଟର। ହଙ୍ଗେରୀର ଆର୍ଟିଷ୍ଟ ଜେମ୍ସ କାରକାସ ଏପର୍ଯ୍ୟନ୍ତ ଏହାର ୨୦ଟି ବୋତଲ ଡିଜାଇନ କରିଥିବା ବେଳେ ଗତବର୍ଷ ୧୮ ବୋତଲକୁ ରିଲିଜ୍‌ କରାଯାଇଛି। ଏହାପରେ ଏହା ବିଶ୍ୱର ସବୁଠାରୁ ଦାମୀ ମଦ ବୋଲି କୁହାଯାଉଛି। ଏହାଏକ ବ୍ଲାକ୍‌ ବକ୍ସରେ ଥିବା ବେଳେ ଏଥିରେ ଲାଗିଥିବା ଏକ ସୁଇଚ୍‌ ଚିପିଲେ ଏହା ଆଲୋକିତ ହୋଇ ଉଠୁଛି। ଏହାର କୌଣସି ବୋତଲ କାହା ସହ ମିଶୁନାହିଁ। ଅର୍ଥାତ୍‌ ସବୁ ବୋତଲର ଡିଜାଇନ୍‌ ଅଲଗା ରହିଛି। ଏପର୍ଯ୍ୟନ୍ତ ଏହାର ୧୧ ବୋତଲ ବିକ୍ରି ହୋଇ ସାରିଛି। ଏହାର ଏକ୍ସପ୍ୟାରୀ ଡେଟ୍‌ ବର୍ଷ ୨୩୦୦ ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ୮୦ ବର୍ଷ ପର୍ଯ୍ୟନ୍ତ ଏହା ସତେଜ ରହିପାରିବ। ଏହା ୨୦୦୮ରେ ତିଆରି କରାଯାଇଥିବା ବେଳେ କିଛିବର୍ଷ ପରେ ଏହା ବୋତଲରେ ପ୍ୟାକ କରାଯାଇଛି। ଏହି କମ୍ପାନୀର ଜେନରାଲ ମ୍ୟାନେଜର ଜେଲଟନ କୋଓ୍ବାସ୍କ କୁହନ୍ତି ଏସେନସିଆ ୨୦୦୮ ଡିସେଣ୍ଟର ତିଆରି ହେବାର ୮ ବର୍ଷ ପରେ ଏହାକୁ ବୋତଲରେ ପ୍ୟାକ୍‌ କରାଯିବା ଉଚିତ୍‌ ବୋଲି ଜଣାପଡିଥିଲା। ଏହା ଏକ ନିର୍ଦ୍ଦିଷ୍ଟ ଋତୁରେ ପ୍ରସ୍ତୁତ କରାଯାଇଥାଏ ବୋଲି ଜେଲଟନ କୋଓ୍ବାସ୍କ କହିଛନ୍ତି। ଗୋଟିଏ ଛୋଟ ଚାମଚ ମାତ୍ରାର ଏହି ମଦ ପାଇଁ ପ୍ରାୟ ଏକ କିଲୋଗ୍ରାମ ପାଚିଲା ଆଙ୍ଗୁର ବ୍ୟବହାର କରାଯାଇଥାଏ। ଅର୍ଥାତ୍‌ ଗୋଟିଏ ବୋତଲ ମଦ ତିଆରି ପାଇଁ ପ୍ରାୟ ୨୦ କିଲୋ ଅଙ୍ଗୁର ଆବଶ୍ୟକ ହୋଇଥାଏ। ଏହାର ୩୭.୫ ସେଣ୍ଟିମିଟର ବୋତଲରେ ୩-୪ ପ୍ରତିଶତ ଆଲକୋହଲ ଥାଏ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ।

Share