ବିଶ୍ୱର ପ୍ରଥମ କରୋନା ପଜିଟିଭ୍‌ ଥିଲେ ଜଣେ ମହିଳା, ବର୍ତ୍ତମାନ ଅଛନ୍ତି ସୁସ୍ଥ

ବେଜିଂ: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ୍‌ ଏପର୍ଯ୍ୟନ୍ତ ପ୍ରାୟ ୩୪,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି। ସେଥିମଧ୍ୟରୁ ଇଟାଲୀରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୧୦,୭୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଯଦିଓ ଚାଇନାରେ ବର୍ତ୍ତମାନ ମୃତ୍ୟୁ ଏବଂ ଏବଂ ସଂକ୍ରମଣର ଆଶଙ୍କା ହ୍ରାସ ପାଇଛି। କିନ୍ତୁ ସମଗ୍ର ପୃଥିବୀରୁ ଏହି ବିପଦ ଟଳି ନାହିଁ। ବିଶ୍ୱର ପ୍ରଥମ କରୋନା ରୋଗୀ ଭାବେ ଯିଏ ଚିହ୍ନଟ ହୋଇଥିଲେ ସେ ଜଣେ ମହିଳା ଥିଲେ।
ଏକ ରିପୋର୍ଟ ଅନୁଯାୟୀ, ଚିଙ୍ଗୁଡ଼ି ବିକ୍ରି କରୁଥିବା ୫୭  ବର୍ଷୀୟା ଜଣେ ମହିଳା ଚାଇନାର ଉହାନ ସହରରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଆଉ ଜଣେ ବ୍ୟକ୍ତି କରୋନାର ଶିକାର ହୋଇଥିଲେ। ଏହି ସଂଖ୍ୟା ବଢ଼ି ୭ ଲକ୍ଷରୁ ଅଧିକରେ ପହଞ୍ଚିଥିଲା।
ପ୍ରଥମେ କରୋନା ପଜିଟିଭ୍‌ ଥିବା ଏହି ମହିଳା ଜଣକ ବର୍ତ୍ତମାନ ଆରୋଗ୍ୟ ଲାଭ କରିଛନ୍ତି। ତାଙ୍କୁ ଏକ ମାସ ଚିକିତ୍ସା କରାଯାଇଥିଲା ଏବଂ ଏହା ପରେ ସେ ସୁସ୍ଥ ହୋଇଥିଲେ। ମହିଳା ଜଣକ କହିଛନ୍ତି ଯେ, ଯଦି ଚାଇନା ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରି ନ ଥାନ୍ତେ ତେବେ ଏହି ରୋଗ ଆହୁରି ଭୟଙ୍କର ହୋଇଥା’ନ୍ତା। ଗତବର୍ଷ ଡିସେମ୍ବର ୧୦ରେ ସଂପୃକ୍ତା ମହିଳାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା। ତେଣୁ ସେ ସ୍ଥାନୀୟ କ୍ଲିନିକ୍‌କୁ ଚିକିତ୍ସା ପାଇଁ ଯାଇଥିଲେ। ଯେଉଁଠାରେ ତାଙ୍କୁ ଇଞ୍ଜେକ୍‌ସନ ଦିଆଯାଇଥିଲା। ଏହା ପରେ ସେ ଦୁର୍ବଳ ଅନୁଭବ କରିବାରେ ଲାଗିଲେ। ତା’ ପରେ ସେ ଉହାନର ଏକାଦଶ ଡାକ୍ତରଖାନାକୁ ଯାଇଥିଲେ। ଏହା ପରେ ବି ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ହୋଇ ନ ଥିଲା। ଡିସେମ୍ବର ୧୬ରେ ସେହି ଅଞ୍ଚଳର ସର୍ବ ବୃହତ ଚିକିତ୍ସା ସୁବିଧା ସହିତ ଉହାନ ୟୁନିୟନ ହସ୍ପିଟାଲକୁ ଯାଇଥିଲେ। ତାଙ୍କଠାରେ ଭିନ୍ନ ଲକ୍ଷଣ ସବୁ ଦେଖିବାକୁ ମିଳିଥିଲା। ଡିସେମ୍ବର ଶେଷରେ ଡାକ୍ତରମାନେ ଏହା କରୋନା ଭୂତାଣୁ ବୋଲି ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଦେଖିବା ପାଇଁ ବହୁ ଲୋକ ସେହି ହସ୍ପିଟାଲକୁ ଯାଇଥିଲେ। ଫଳସ୍ବରୂପ ଏହି ଭୂତାଣୁ ଜଣକ ପରେ ଜଣକ ଦେହରେ ପ୍ରବେଶ କରି ସମଗ୍ର ବିଶ୍ୱକୁ ଗ୍ରାସ କରିସାରିଲାଣି।

Share