Categories: ଖେଳ

ବିଶ୍ୱକପ୍‌ ପରେ ଆଇପିଏଲ୍‌ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ: ବଟଲର

ଲଣ୍ଡନ,୨୩।୫(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌)କୁ ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ପ୍ରଶଂସା କରିଛନ୍ତି। ଇଂଲଣ୍ଡ କ୍ରିକେଟର ଉନ୍ନତିରେ ଆଇପିଏଲ୍‌ର ଭୂମିକା ଥିବା ସେ କହିଛନ୍ତି। ବିଶ୍ୱକପ୍‌ ପରେ ଆଇପିଏଲ ବିଶ୍ୱର ଶ୍ରେଷ୍ଠ ଟୁର୍ନାମେଣ୍ଟ। ଚଳିତବର୍ଷ ଆଇପିଏଲ୍‌ ଖେଳିବାକୁ ବେଶ୍‌ ବ୍ୟଗ୍ର ଅଛି ବୋଲି ସେ କହିଛନ୍ତି। କୋଭିଡ-୧୯ ମହାମାରୀ କାରଣରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।
ବଟଲର ୨୦୧୬-୧୭ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୨୦୧୮ରେ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ୍‌ ଖେଳିଛନ୍ତି। ଇଂଲଣ୍ଡ କ୍ରିକେଟ ଓ କ୍ରିକେଟରଙ୍କ ଉନ୍ନତିରେ ଆଇପିଏଲ୍‌ର ନିର୍ଣ୍ଣାୟକ ଭୂମିକା ରହିଛି ବୋଲି ବିବିସି ପୋଡକାଷ୍ଟ ‘ଦି ଦୁସରା’ରେ ସାକ୍ଷାତ୍‌କାର ଦେବା ଅବସରରେ ବଟଲର କହିଛନ୍ତି। ମୋ ପାଇଁ ବିଶ୍ୱକପ୍‌ ପରେ ଆଇପିଏଲ ସବୁଠାରୁ ଶ୍ରେଷ୍ଠ ଟୁର୍ନାମେଣ୍ଟ। ବିଶ୍ୱର ଶ୍ରେଷ୍ଠ କ୍ରିକେଟରମାନେ ଆଇପିଏଲ୍‌ରେ ଅଂଶଗ୍ରହଣ କରିଥାନ୍ତି। ବେଙ୍ଗାଲୁରୁ ଦଳରେ ବିରାଟ କୋହଲି, ଏବି ଡିଭିଲର୍ସ, କ୍ରିସ୍‌ ଗେଲ୍‌ଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି। ଏହି ବ୍ୟାଟ୍ସମ୍ୟାନମାନେ ଯଶପ୍ରୀତ ବୁମ୍‌ରା, ଡେଲ ଷ୍ଟେଇନ୍‌ ଓ ଲାସିଥ୍‌ ମାଲିଙ୍ଗା ଭଳି ଖେଳାଳିଙ୍କ ଭଳି ବୋଲରଙ୍କୁ ସାମ୍ନା କରିବା ଏକ ବଡ଼ ରୋମାଞ୍ଚକ ଘଟଣା ବୋଲି ସେ କହିଛନ୍ତି।
ଆଇପିଏଲ୍‌ ପାଇଁ ସ୍ବତନ୍ତ୍ର ଓ୍ବିଣ୍ଡୋ ପ୍ରଦାନ କରିବା ସଂକ୍ରାନ୍ତରେ ସେ ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କୁ ଶ୍ରେୟ ଦେଇଛନ୍ତି। ଏହା ଦ୍ୱାର ଅଧିକରୁ ଅଧିକ ଇଂଲଣ୍ଡ କ୍ରିକେଟର ମାନେ ଆଇପିଏଲ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଇପିଏଲ୍‌ ଦ୍ୱାରା ବିଶ୍ୱରେ ବହୁ କ୍ରିକେଟର ସୃଷ୍ଟି ହୋଇପାରୁଛନ୍ତି ଓ ପରିଚୟ ହାସଲ କରୁଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି, ଆଇପିଏଲ୍‌ର ୧୩ତମ ସଂସ୍କରଣ ମାର୍ଚ୍ଚ ଶେଷରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହାକୁ ମହମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ଇତିମଧ୍ୟରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଘୁଞ୍ଚାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏ ନେଇ ଔପଚାରିକ ଘୋଷଣା କରାଯାଇନାହିଁ। ଯଦି ଏହାହୁଏ ତେବେ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆଇପିଏଲ ଆୟୋଜନ ହେବାର ସମ୍ଭାବନା ରହିଛି।

Share