Categories: ଖେଳ

ବିଶ୍ୱକପ୍‌ରେ ପାକିସ୍ତାନକୁ ସବୁଥର ହରାଇଛି ଭାରତ

ମାଞ୍ଚେଷ୍ଟର,୧୬।୬(ପି.ଟି.)-ଆଇସିସି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ୬ଥର ପରସ୍ପରକୁ ଭେଟିଛନ୍ତି। ସବୁ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନ ହାତ ଖାଲି ରହିଛି। ତେବେ ଦିନିକିଆ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଦୁଇଦେଶ ୧୩୧ଟି ମ୍ୟାଚ୍‌ରେ ମୁହଁମୁହିଁ ହୋଇଛନ୍ତି। ଏଥିରେ ପାକିସ୍ତାନ ଭାରତଠାରୁ ପାଦେ ଆଗରେ ରହିଛି। ପାକିସ୍ତାନ ୭୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଭାରତ ୫୪ଟି ମ୍ୟାଚ୍‌ରେ ବାଜି ମାରିଛି।
୧୯୯୨ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଏକ ଲିଗ୍‌ ମ୍ୟାଚ୍‌ରେ ଭାରତ ସିଡ୍‌ନୀରେ ୪୩ ରନରେ ପାକିସ୍ତାନକୁ ହରାଇଥିଲା। ଏଥିରେ ସଚିନ ତେନ୍ଦୁଲକର ଅପରାଜିତ ୫୪ ରନର ଇନିଂସ ଖେଳିଥିଲେ। ଜାଭେଦ ମିଆଁଦାଦ ଭାରତୀୟ ଉଇକେଟକିପର କିରନ ମୋରେଙ୍କୁ ପରିହାସ କରି ଡେଇଁ ଡେଇଁ ବିବାଦ ସୃଷ୍ଟି କରିଥିଲେ। ତେବେ ଏହି ବିଶ୍ୱକପ୍‌ରେ ପାକିସ୍ତାନ ଚାମ୍ପିୟନ ହୋଇଥିଲା।
୧୯୯୬ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ୩୯ ରନରେ ପାକିସ୍ତାନକୁ ହରାଇଥିଲା। ଓ୍ବାର୍କର ୟୁନିସ୍‌ଙ୍କ ବଲରେ ଅଜୟ ଜାଡେଜା ନିର୍ଦ୍ଧୁମ ପ୍ରହାର କରି ହିରୋ ବନିଯାଇଥିଲେ। ତେବେ ଭେଙ୍କଟେଶ ପ୍ରସାଦ ଓ ଅମୀର ସୋହେଲିଙ୍କ ମଧ୍ୟରେ କଥା କଟାକଟି ଓ ସେଣ୍ଡ – ଅଫ୍‌ ଦୃଶ୍ୟ ବେଶ୍‌ ଉପଭୋଗ୍ୟ ହୋଇଥିଲା। ଏଥିରେ ନଭଜୋତ ସିଂ ସିଦ୍ଧୁ ୯୩ ରନର ପାଳି ଖେଳିଥିଲେ।
୧୯୯୯ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ୪୭ ରନରେ ପାକିସ୍ତାନକୁ ହରାଇଥିଲା। ମ୍ୟାଚ୍‌ ଲୋ- ସ୍କୋରିଂ ଥିଲେ ମଧ୍ୟ ବେଶ୍‌ ରୋମାଞ୍ଚକ ହୋଇଥିଲା। ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଓ ପ୍ରସାଦ ୪ ଉଇକେଟ ଅକ୍ତିଆର କରିଥିଲେ।
୨୦୦୩ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ୪ ଉଇକେଟରେ ପାକିସ୍ତାନକୁ ହରାଇଥିଲା। ସଚିନ ତେନ୍ଦୁଲକର ୯୮ ରନର ପାଳି ଖେଳିଥିଲେ। ଏହି ମ୍ୟାଚ୍‌ରେ ସୋଏବ ଅଖତାରଙ୍କୁ ସଚିନ ଓ ବୀରେନ୍ଦ୍ର ସେହ୍ବାଗ ଜବରଦସ୍ତ ଧୁଲାଇ କରିଥିଲେ।
୨୦୧୧ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ଭାରତ ୨୯ ରନରେ ସେମିଫାଇନାଲରେ ପାକିସ୍ତାନକୁ ହରାଇଥିଲା। ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବେଶ୍‌ ରୋମାଞ୍ଚକ ହୋଇଥିଲା। ତେନ୍ଦୁଲକର ଏହି ମ୍ୟାଚ୍‌ରେ ୮୫ ରନ ସଂଗ୍ରହ କରିଥିଲେ।
୨୦୧୫ ବିଶ୍ୱକପ୍‌: ଏହି ବିଶ୍ୱକପ୍‌ରେ ପାକିସ୍ତାନ ଭାରତଠାରୁ ୭୬ ରନରେ ପରାସ୍ତ ହୋଇଥିଲା। କୋହଲିଙ୍କ ଶତକ ସହାୟତାରେ ଭାରତ ୩୦୦ ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୨୨୪ ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଏକପାଖିଆ ମ୍ୟାଚ୍‌ ଥିଲା।

Share