ବିଶୋଧନ ହେଲା ସୋରଡାର ବିଭିନ୍ନ ଅଞ୍ଚଳ

ସୋରଡା,୧୫ା୪(ଡି.ଏନ୍‌.ଏ.)- ସୋରଡା ସହରର ସମସ୍ତ ସାହିକୁ ବୁଧବାର ଅପରାହ୍ନରେ ଏନ୍‌ଏସି ତରଫରୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି। ଗନିଛକ, ବଡଦାଣ୍ଡ, ଆଡପମଣ୍ଡପ, ସରୁଆସାହି, କେଉଟସାହି, ବାଙ୍କବଜାରରେ ଦମକଳ ଗାଡି ବୁଲି ବିଶୋଧନ କରିଛି। ସାମାଜିକ ଦୂରତା ବଜାୟ ରଖିବାକୁ ବୁଧବାର ଠାରୁ ମାଛ ମାର୍କେଟ ଖୋଲା ଜାଗାରେ ଆରମ୍ଭ କରାଯାଇଛି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଅପରାହ୍ନରେ ପହଞ୍ଚତ୍ ବିଭିନ୍ନ ଆଇସୋଲେଶନ କେନ୍ଦ୍ର ବୁଲି ତଦାରଖ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁ, ଏନ୍‌ଏସିର ପ୍ରମୋଦ ଅଧିକାରୀ, ଶାନ୍ତନୁ ଶତପଥୀ ପ୍ରମୁଖ ପରିଚାଳନା କରୁଛନ୍ତି। ସୋରଡା ଅଞ୍ଚଳରୁ ପ୍ରତିଦିନ କନ୍ଧମାଳ ଜିଲାକୁ ପନିପରିବା ଆଣିବାକୁ ଯାଉଥିବା ଗାଡି ଗୁଡିକ ବନ୍ଦ ହୋଇଯାଇଥିବାରୁ ବ୍ୟବସାୟୀ, ଗାଡି ଚାଳକ ହାତବାନ୍ଧି ବସିଛନ୍ତି। ମାତ୍ର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପନିପରିବା ବ୍ୟବସାୟ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି।