ବିଶାଖାପାଟଣା ଷ୍ଟେସନରୁ ଓଡିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଚିକିଟି,୫ା୧୨(ଡି.ଏନ୍‌.ଏ.)- ଗଞ୍ଜାମଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ କରବାଲୁଆ ଗ୍ରାମର ଜଣେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଶ୍ରମିକ କରବାଲୁଆର ବିଜୁଳି ସେଠୀ (୧୮)। ବିଜୁଳି ମା’ଙ୍କ ସହ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ସେଠାରେ କିଛିଦିନ ହେଲା ବିଜୁଳିଙ୍କୁ ଜ୍ୱର ହୋଇଥିଲା। ଚେନ୍ନାଇରୁ ରେଳଯୋଗେ ମା’ ପୁଅ ଘରକୁ ଫେରୁଥିବାବେଳେ ବିଜୟନଗରଠାରେ ଟିଟି ଟିକେଟ୍‌ ଚେକ୍‌ କରି ବିଜୁଳିଙ୍କ ମା’ଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ଦେଇଥିଲେ। ଏହି ଘଟଣାର ୩ ଦିନ ପରେ ଗୁରୁବାର ସକାଳେ ବିଜୁଳିଙ୍କ ମୃତଦେହ ଜିଆର୍‌ପି ପୋଲିସ ବିଶାଖାପାଟଣା ରେଳଷ୍ଟେସନ ସ୍ଥିତ ଡଷ୍ଟବିନ୍‌ ନିକଟରୁ ଉଦ୍ଧାର କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ଗୁରୁବାର କରବାଲୁଆ ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ମୃତଦେହ ସଂସ୍କାର କରିଥିବାବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ମା’ ଜିଆର୍‌ପି ପୋଲିସକୁ କହିଛନ୍ତି।