ବିଳମ୍ବ ହେବ ମୌସୁମୀ ଲେଉଟାଣି: ଆହୁରି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗି ରହିଛି। ନିର୍ଦ୍ଧାରିତ ସମୟର ୧୦ ଦିନ ପରେ ଅର୍ଥାତ ଜୁନ ୨୧ ତାରିଖରେ ମୌସୁମୀ ଓଡିଶା ଛୁଇଁଥିଲା। ତେବେ ଯେତିକି ପରିମାଣ ବର୍ଷା ହେବ କଥା ହେଲା ନାହିଁ। ଜୁନରୁ ଅଗଷ୍ଟ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହେଲା। ଜୁଲାଇରୁ ମୌସୁମୀ ବର୍ଷା ଲାଗି ରହିଛି। ଅକ୍ଟୋବର ପ୍ରଥମ ସପ୍ତାହ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଲାଣି। ଜୁନ ପହିଲାରୁ ସେପ୍ଟେମ୍ବର ୨୮ ତାରିଖ ଯାଏ ରାଜ୍ୟରେ ବର୍ଷା ସ୍ବାଭାବିକ ରହିଛି। ଏହି ସମୟରେ ସ୍ବାଭାବିକ ଭାବେ ୧୧୪୪.୯ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୧୧୯୪.୬ ମିଲିମିଟର। ଅର୍ଥାତ ସ୍ବାଭାବିକ ଠାରୁ ୪ ପ୍ରତିଶତ ଅଧିକ ବର୍ଷା ହୋଇଛି।

ସାଧାରଣତଃ ମୌସୁମୀ ସେପ୍ଟେମ୍ବର ୧ ତାରିଖରୁ ରାଜସ୍ଥାନରୁ ଅପସାରଣ ଆରମ୍ଭ କରିଥାଏ । ଚଳିତ ବର୍ଷ ପ୍ରାୟ ମାସେ ହୋଇଗଲାଣି ଦେଶରେ ମୌସୁମୀ ବର୍ଷା ଲାଗି ରହିଛି। ଏଥିଯୋଗୁଁ ପାଣିପାଗ ବିଭାଗ ମୌସୁମୀ ଅପସାରଣ ନେଇ ଏ ପର୍ଯ୍ୟନ୍ତ ଘୋଷଣା କରିନାହିଁ। ଏଥର ସ୍ବାଭିବିକଠାରୁ ବହୁ ବଳମ୍ବରେ ମୌସୁମୀ ଦେଶ ଛାଡିବ ବୋଲି ପାଣିପାଗ ବିଶାରଦ ମତ ଦେଇଛନ୍ତି। ବର୍ଷା ଲାଗି ରହିଥିବାରୁ ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଓଡିଶାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ମୁଖ୍ୟତଃ ଅକ୍ଟୋବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯାଇଥାଏ। ଦେଶର ଅନ୍ୟାନ୍ୟ ଭାଗରୁ ମୌସୁମୀ ଅପସାରଣ ହୋଇ ନ ଥିବାରୁ ଓଡିଶାରେ ମଧ୍ୟ ଏହା ବିଳମ୍ବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ବାଲେଶ୍ୱର, ଖୋର୍ଦ୍ଧା ଏବଂ ଯାଜପୁର ଜିଲାର କେତେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।