ବିଲୁପ୍ତି ପଥେ ଜୈବବିବିଧତା

ବସନ୍ତ କୁମାର ଦାସ
ଆମ ପରିବେଶରେ ବଞ୍ଚି ରହିଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଉପସ୍ଥିତି ଓ ଅବସ୍ଥିତିକୁ ଜୈବବିବିଧତା କୁହାଯାଏ। ଜୀବମାନଙ୍କର ବିବିଧତାକୁ ଜୈବବିବିଧତା ମଧ୍ୟ କହନ୍ତି। ଆଜି କିନ୍ତୁ ଜୈବବିବିଧତା ବିପନ୍ନ ତଥା ସଂକଟରେ। ଏହାର ମୁଖ୍ୟ କାରଣ ଜନସଂଖ୍ୟା ବୃଦ୍ଧି, ଆପାର୍ଟମେଣ୍ଟ ତଥା କୋଠାବାଡି ସଂଖ୍ୟା ବୃଦ୍ଧି, ରାସ୍ତାଘାଟ, ସହରବଜାର ଓ କଳକାରଖାନାଗୁଡ଼ିକର ସଂଖ୍ୟା ବୃଦ୍ଧି। ଗତ ୪୦ବର୍ଷ ତଳେ ଯେତେ ପ୍ରକାର ଧାନ ଚାଷ ହେଉଥିଲା ଆଜି ସେସବୁ ବିଲୁପ୍ତପ୍ରାୟ। ଏଇ ଯେପରି ପଥରଟିଙ୍କ, ବାଈକୋଇଲି, ହଳଦୀଗୁଣ୍ଡି, ଲାଙ୍ଗୁଳାଧାନ ଇତ୍ୟାଦି। ଏଇ ପାରମ୍ପରିକ ଧାନଚାଷ ନିଆରା ଥିଲା, ଖରାଦିନେ ଧାନବୁଣା ହେଉଥିଲା, ବର୍ଷାଦିନେ ବେଉଷଣ କରି ଗୋବର ଖତ ଦେଇ ଏଇ ଧାନକୁ ଅତି ଯତ୍ନରେ ଚାଷ କରାଯାଉଥିଲା। ଏଇ ଧାନରୁ ହେଉଥିବା ଚାଉଳ ଭାତର ବାସ୍ନା ବର୍ଣ୍ଣନାତୀତ। ପଖାଳ ଭାତର ତୋରାଣି, ଭାତର ବାସ୍ନା ସମସ୍ତଙ୍କୁ ତୃଷା ଓ କ୍ଷୁଧାମୁକ୍ତ କରୁଥିଲା। ପ୍ରାକୃତିକ ଦୁର୍ବିପାକ ସହ ସଂଗ୍ରାମ କରି ବଞ୍ଚିରହି ଅମଳ ହେଉଥିଲା। ଲମ୍ବା ଲମ୍ବା ଛଣ ଘରଛପର ତଥା ଗୋଖାଦ୍ୟ ରୂପେ ବ୍ୟବହୃତ ହେଉଥିଲା। ଏ ନଡାର ବିଶେଷତ୍ୱ ହେଉଛି ସହଜରେ ପଚିଶଢି ନ ଯିବା। ତେଣୁ ଚାଳଛପରର ସ୍ଥାୟିତ୍ୱ ଥିଲା ବେଶିଦିନ। ବାସମତୀ ଧାନଠାରୁ ବି ଭଲ ଧାନ କୃଷ୍ଣସୁନ୍ଦରୀ କଳାଧାନ ବା ଓରାଇଜା ସାଟାଇଭା। ଏ ପ୍ରକାର ଚାଉଳ ଏତେ ଭଲଥିଲା ଯେ ଚାଇନାର ଶାସକମାନେ ଏହା ସାଧାରଣ ଲୋକଙ୍କୁ ଖାଇବାକୁ ବାରଣ କରିଥିଲେ। ବୈଜ୍ଞାନିକମାନେ ଜାଣିପାରିଛନ୍ତି, କଳାଧାନ ପୁଷ୍ଟିକର ଓ ଔଷଧୀୟ ଗୁଣଯୁକ୍ତ। ଏହା କର୍କଟ ଓ ବିଭିନ୍ନ ଚର୍ମରୋଗକୁ ଭଲ କରିବାରେ ସାହାଯ୍ୟ କରେ।
ଏହି ଧାନ ଆମ ଦେଶରେ କାଁ ଭାଁ ଚାଷ ହେଉଥିବା ବେଳେ ଆମ ରାଜ୍ୟ ଓ ଆନ୍ଧ୍ରପ୍ରଦେଶରେ ଚାଷ ନ ହେବା କ୍ଷୋଭର ବିଷୟ। କୋରାପୁଟ ହେଉଛି ଧାନଚାଷର ଅନ୍ତୁଡିଶାଳ। ଅନେକ କିସମର ପାରମ୍ପରିକ ଧାନ କୋରାପୁଟସ୍ଥିତ ଆଦିବାସୀ ସଂଗ୍ରହାଳୟରେ ସାଇତି ରଖାଯାଇଛି। ଭାରତ ସ୍ବାଧୀନ ହେବା ବେଳକୁ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ କିସମର ପାରମ୍ପରିକ ଧାନଚାଷ ହେଉଥିବା ବେଳେ ଏବେ ପ୍ରାୟ ୨୦୦ କିସମରେ ସୀମିତ ରହିଛି। ଏହାର ମୁଖ୍ୟ କାରଣ ଜୈବବିବିଧତାର ସଂରକ୍ଷଣ ପ୍ରତି ଦୃଷ୍ଟି ନ ଦେବା। ଏ ସଂକ୍ରାନ୍ତରେ କମଳା ପୂଜାରୀଙ୍କ ପ୍ରଚେଷ୍ଟା ଗୁରୁତ୍ୱପୂର୍ଣ୍ଣ। ଆମ ରାଜ୍ୟର ବାରିପଦାରୁ ବାଲୁଖଣ୍ଡ, ମାଲକାନଗିରିରୁ ମଙ୍ଗଳାଯୋଡି, ଗଞ୍ଜାମରୁ ଗହୀରମଥା, ସାତକୋଶିଆରୁ ସାତଭାୟା, ନବରଙ୍ଗପୁରରୁ ନିୟମଗିରି, ଚନ୍ଦ୍ରଗିରିରୁ ଚିଲିକା ଜୈବବିବିଧତା ଦୃଷ୍ଟିରୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆନୁବଂଶିକ, ପାରିସ୍ଥିତିକ, କ୍ରିୟାତ୍ମକ ଓ ଜୈବରାସାୟନିକ ଆଦି ଜୈବବିବିଧତାର ବିଭିନ୍ନ ଦିଗ। ପ୍ରତିବର୍ଷ ପ୍ରାୟ ୨ଟି ପ୍ରଜାତିର ଜୀବ ସବୁଦିନ ପାଇଁ ବିଦାୟ ନେଉଛନ୍ତି। ଗତ ୧୦୦ ବର୍ଷ ମଧ୍ୟରେ ପ୍ରାୟ ୫୦୦ ପ୍ରଜାତିର ଜୀବ, ଉଭୟ ପ୍ରାଣୀ ଓ ଉଦ୍ଭିଦ ଧରାପୃଷ୍ଠରୁ ଲୋପ ପାଉଛନ୍ତି। ଏସବୁକୁ ଭିତ୍ତିକରି ରେଡ୍‌, ବ୍ଲୁ ଓ ଗ୍ରୀନ୍‌ ଡାଟା ବୁକ୍‌ ପ୍ରସ୍ତୁତ କରାଯାଇଛି, ଯାହାକି ନିଶ୍ଚିହ୍ନ, ବିପନ୍ନ ଓ ଦୁର୍ଲଭ ଜୀବ ଓ ବୃକ୍ଷଲତାଙ୍କୁ ବୁଝାଇଥାଏ। ଏମାନଙ୍କ ମଧ୍ୟରେ ଶଙ୍ଖଚିଲ, ଶାଗୁଣା, ଶାଳିଆପତନି, ହଳଦୀବସନ୍ତ, ଓଧ, କୋକିଶିଆଳି, ବଜ୍ରକାପ୍ତା, ଝିଙ୍କ, ଘରଚଟିଆ, ବାଇଚଢ଼େଇ, କୋଚିଲାଖାଇ, ରାମଶିଆଳ ଓ ଟିଆ ଅନ୍ୟତମ।
ଓଡ଼ିଶାର ହେନ୍ତାଳ ବଣରେ ଥିବା ଜୀବଜନ୍ତୁ ଓ ଗଛଲତାକୁ ମହାନଦୀ ତ୍ରିକୋଣଭୂମି, ଭିତରକନିକା, ବାଲେଶ୍ୱର-ଭଦ୍ରକ ଉପକୂଳ ଅଞ୍ଚଳରେ ସଂରକ୍ଷିତ କରି ରଖିବା ଉଚିତ। ବଣଚୁଆ, ପାଣିଆମ୍ବ, ଫାସି, ହେନ୍ତାଳ, ବନୀ, ଧଳାବନୀ, ଖାର୍ସୀ, ସିଙ୍ଗଲାବନୀ, ବଡବନୀ, ସୁନ୍ଦରୀ, କାଳିଆଚୁଆ, ବନ୍ଦାରୀ, ଡଟ୍‌, ଗରନୀ, କନିକାସୁନ୍ଦରୀ, ଗୁଅଁ ଚୁରୁଣ୍ଡ, ସିନ୍ଦୁକ, ରାଇ, ଓରୁଆ, ଖରଖରୀ, ଶିଶୁମାର ଓ ପିତାକୋରୁଆ ଆମ ଓଡ଼ିଶାର ହେନ୍ତାଳ ଜଙ୍ଗଲରେ ଦେଖାଯାଏ। କିନ୍ତୁ ଦୁଃଖର କଥା ଉପକୂଳବର୍ତ୍ତୀ ଅଞ୍ଚଳରେ ଫାଇଲିନ୍‌, ହୁଡ୍‌ହୁଡ୍‌ ଓ ଫନୀ ଭଳି ବାତ୍ୟା ବାରମ୍ବାର ଆସିବା ଯୋଗୁ ଅନେକ ଗଛ ଓ ଜୀବଜନ୍ତୁ ବିଲୁପ୍ତପ୍ରାୟ ଅବସ୍ଥାରେ ଅଛନ୍ତି। ଜାତିସଂଘ ତରଫରୁ ମେ ୨୨ ତାରିଖକୁ ବିଶ୍ୱ ଜୈବବିବିଧତା ସଂରକ୍ଷଣ ଦିବସ ରୂପେ ୨୦୧୧ ମସିହା ପରଠାରୁ ପାଳନ କରାହେଉଛି। ଚଳିତ ୨୦୧୯ ବର୍ଷର ବିଷୟବସ୍ତୁ ରହିଛି ‘ଆମ ଜୈବବିବିଧତା, ଆମ ଖାଦ୍ୟ ଓ ଆମ ସ୍ବାସ୍ଥ୍ୟ’। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ଜୈବବିବିଧତା ଦଶନ୍ଧି ପାଳନ କରାଯାଉଛି। ପ୍ରତ୍ୟେକ ଶ୍ରେଣୀର ଲୋକ, ବୈଜ୍ଞାନିକ, ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ ଜୀବଜଗତର ସୁରକ୍ଷା, ସଂରକ୍ଷଣ, ସମ୍ପ୍ରସାରଣ ଓ ସଂସ୍ଥିତି ପାଇଁ ଶପଥ ନେଇ କାୟମନୋବାକ୍ୟରେ ଆଗେଇ ଆସିଲେ ଜୈବବିବିଧତାର ସଂରକ୍ଷଣ ଓ ସମ୍ପ୍ରସାରଣ ହୋଇପାରିବ।
(ବିଶ୍ୱ ଜୈବବିବିଧତା ଦିବସ ଉପଲକ୍ଷେ)
ବି/୧୧୩, ସେକ୍ଟର-୧, ଦାମନଯୋଡି, କୋରାପୁଟ, ମୋ-୯୪୩୭୯୧୧୫୮୫


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri