ବିଲୁଆଖାଇ ନଦୀପଠାରୁ ମିଳିଲା ନର୍ସଙ୍କ ଗଳିତ ମୃତଦେହ: ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ମା’

ବିରିଡ଼ି/ବାଲିଆ,୧୭ା୯(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ବିରିଡ଼ି ଥାନା ଅନ୍ତର୍ଗତ କୁଳକଇଜଙ୍ଗା ପଞ୍ଚାୟତ ନୂଆପାରୀ ଗ୍ରାମ ନିକଟ ବିଲୁଆଖାଇ ନଦୀପଠାରୁ ମଙ୍ଗଳବାର ସକାଳେ ଏକ ଅଖାରୁ ଜଣେ ନର୍ସଙ୍କ ଗଳିତ ମୃତଦେହ ମିଳିଛି। ଖବରପାଇ ବିରିଡ଼ି ଥାନା ଅଧିକାରୀ ପାରୋ ଟୁଡୁ, ଏସଆଇ ଜୀବନ ଲାକ୍ରା ପ୍ରମୁଖ ସଦଳବଳ ପହଞ୍ଚତ୍ ପ୍ରାଥମିକ ତଦନ୍ତ କରିଥିଲେ। ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ, ଜଗତ୍‌ସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର, ମଧୁପାଟଣା ଥାନା ଆଇଆଇସି ତୁଷାର ରଞ୍ଜନ ସେଠୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ବା ପରେ ଅଖା ମଧ୍ୟରୁ ମୃତଦେହ ବାହାର କରାଯାଇଥିଲା। ମୃତ ନର୍ସଙ୍କ ହାତ ଗୋଡ଼ ବନ୍ଧାଥିବା ଦେଖିବାକୁ ମିଳିଥିଲା। ମୁଣ୍ଡ ଓ ମୁଖମଣ୍ଡଳରୁ ମାଂସ ବାହାରିଯାଇ କେବଳ ଖପୁରି ହାଡ଼ ଦେଖାଯାଉଥିଲା। ଏପରି କି ମୃତଦେହରେ ପୋକ ଚାଲୁଥିଲେ। ଯୁବତୀ ଜଣଙ୍କ ନାଲି ରଙ୍ଗର ଲେଗିନ୍ସ ଓ ବ୍ରାଉନ ରଙ୍ଗର ଶାର୍ଟ ପିନ୍ଧିଥିଲେ। ତେବେ ପ୍ରାଥମିକ ତଦନ୍ତ ପରେ ମୃତଦେହ ଚିହ୍ନଟ କରାଯାଇଛି। ସେ ହେଲେ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ଗଗନ ପାତ୍ରଙ୍କ ଝିଅ ନିହାରିକା ପାତ୍ର (୨୪)। ସେ କଟକର ଏମ୍‌ଏମ୍‌ ନର୍ସିଂହୋମରେ କାମ କରୁଥିଲେ। ସେପ୍ଟେମ୍ବର ୮ ତାରିଖରୁ ସେ ନିଖୋଜ ଥିବା କଟକ ମଧୁପାଟଣା ଥାନାରେ ଅଭିଯୋଗ ହୋଇଥିଲା। ନଦୀପଠାରୁ ମୃତଦେହ ମିଳିବା ଖବରପାଇ ଉକ୍ତ ନର୍ସିଂହୋମ କର୍ମଚାରୀ ଓ ଯୁବତୀଙ୍କ ମା’ ପ୍ରତିମା ପାତ୍ର ଯାଇ ଚିହ୍ନଟ କରିଥିଲେ। ବିରିଡ଼ି ଅତିରିକ୍ତ ତହସିଲଦାର ସୌମ୍ୟା ପଟ୍ଟନାୟକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମା’ ବିରିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ନଂ.୧୧୬/୧୯ ରୁଜୁ କରି ତଦନ୍ତ ଚଳାଇଛି। ଏହି ହତ୍ୟାକାଣ୍ଡରେ ବିରିଡ଼ି ଥାନା ହାଜିପୁର ଗ୍ରାମର ଜଣେ ଯୁବକ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ଏତଲାରେ ଦର୍ଶାଯାଇଛି। ଯୁବତୀଙ୍କ ସହ ଅଭିଯୁକ୍ତ ଯୁବକଙ୍କର ଆଗରୁ ପ୍ରେମ ସମ୍ପର୍କ ଥିବା କୁହାଯାଉଛି। ତେବେ କେଉଁ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ଘଟିଲା ତାହା ଜଣାପଡିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।