ବିଲିକଣା ଘରପୋଡ଼ି ଘଟଣାରେ ଜଣେ ଗିରଫ

ଆଳି, ୨୪।୨ (ଡି.ଏନ୍‌.ଏ.): ଆଳି ଥାନା ଅଧୀନ ବିଲିକଣା ଗ୍ରାମରେ ଘଟିଥିବା ଘରପୋଡି ଘଟଣାରେ ପୋଲିସ ରବିବାର ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ବିଲିକଣା ଗ୍ରାମର ସସ୍ମିତା ମଲ୍ଲିକ। ବିଲିକଣା ଗ୍ରାମର ସାରତୀ ମଲିକ ଓ ତାଙ୍କ ଦିଅର ବାବୁରାମ ମଲିକଙ୍କ ପରିବାର ମଧ୍ୟରେ ଜମିଜମା ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିଲା। ଦୁଇ ସପ୍ତାହ ପୂର୍ବରୁ ଉଭୟ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା, ଯାହାକୁ କେନ୍ଦ୍ରକରି ବାବୁରାମଙ୍କ ପରିବାର ଲୋକେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ସାରତୀଙ୍କ ଘରେ ନିଆଁ ଲଗାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଅଗ୍ନିକାଣ୍ଡରେ ସାରତୀଙ୍କ ୨ ବଖରା ଜଳି ଯିବା ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ସାରତୀ ଏ ନେଇ ବାବୁରାମଙ୍କ ପରିବାର ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୋଲିସ ବାବୁରାମଙ୍କ ପରିବାରର ସସ୍ମିତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସଦସ୍ୟ ଫେରାର ଥିବା ଜଣାପଡ଼ିଛି।