ବିରୋଧୀ ଦଳ ନେତାଙ୍କ ଅଭିଯୋଗ: କେନ୍ଦୁପତ୍ର ତୋଳାଳି ପଇସା ପାଉ ନାହାନ୍ତି

ଭୁବନେଶ୍ୱର, ୧୨।୩(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କୁ ସେମାନଙ୍କ ନ୍ୟାଯ୍ୟ ପତ୍ର ମିଳୁନାହିଁ। ସେମାନେ ଯେତିକି ପାଉଣା ପାଇବା କଥା ତାହା ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅଛନ୍ତି। ସେହି ଗରିବ କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କ କଲ୍ୟାଣ ପାଇଁ ତୁରନ୍ତ ଅର୍ଥ ଖର୍ଚ୍ଚ କରନ୍ତୁ। ସରକାରଙ୍କ ପାଖରେ ୮୦ କୋଟି ଟଙ୍କା ଅଛି। ଏହାକୁ ସେମାନଙ୍କ ପାଇଁ ଖର୍ଚ୍ଚ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦାବି କରିଛନ୍ତି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, କେନ୍ଦୁପତ୍ର ତୋଳାଳି ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ। ଏହାଛଡ଼ା ସେମାନଙ୍କ ଅନ୍ୟ କୌଣସି ଆୟ ନାହିଁ। ସରକାର ସେମାନଙ୍କ ଟଙ୍କା ଦେଉ ନ ଥିବାରୁ ସେମାନେ ତାଙ୍କ ଝିଅଙ୍କ ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟ କରିପାରୁ ନାହାନ୍ତି। ଯେଉଁ ଅଫିସର କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ଦେଉ ନାହାନ୍ତି ସେମାନଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ କିଶୋର ମହାନ୍ତି କହିଥିଲେ ଯେ, ପଶ୍ଚିମ ଓଡ଼ିଶାରେ କେନ୍ଦୁପତ୍ର ତୋଳାଳିମାନେ ଟଙ୍କା ପାଉ ନ ଥିବାରୁ ରାଜରାସ୍ତାକୁ ଓହ୍ଲାଇଲେଣି। ସରକାର ସେମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ। ବିରୋଧୀ ଦଳ ନେତାଙ୍କ ଅଭିଯୋଗ ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, କେନ୍ଦୁପତ୍ରରୁ ଯେଉଁ ଅର୍ଥ ଆଦାୟ କରାଯାଉଛି ସେଥିରୁ ତୋଳାଳି ଓ ବନ୍ଧାଳିଙ୍କ କଲ୍ୟାଣ ପାଇଁ ଶତପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେତେକ ଜାଗାରେ କେନ୍ଦୁପତ୍ର ଉଠିନାହିଁ ଓ ପଇସା ପାଇ ନାହାନ୍ତି। ବିଭାଗୀୟ ଅତିରିକ୍ତ ସଚିବ ଏବଂ ବନ ସଂରକ୍ଷକ (କେନ୍ଦୁପତ୍ର)ଙ୍କୁ ଡାକି ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବି ବୋଲି କହିଥିଲେ।