ବିରୋଧୀଙ୍କ ସବୁ ଅଙ୍କ ଭୁଲ କଲା ବିଜେଡି

ଅନୁଗୋଳ ଅଫିସ, ୨୫।୫- ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଅନୁଗୋଳ ଜିଲାରେ ଯେପରି ପ୍ରଦର୍ଶନ କରିଥିଲା ତାହାକୁ ନେଇ ରାଜନୈତିକ ବିଶାରଦମାନେ ନାନା କଳ୍ପନାଜଳ୍ପନା କରୁଥିଲେ। ଏପରି କି ବିଧାନସଭା ନିର୍ବାଚନରେ ଜିଲାର ଏକାଧିକ ଆସନ ଭାଜପା ଛଡ଼ାଇନେବ ବୋଲି ମଧ୍ୟ କହିବାକୁ ପଛାଇ ନ ଥିଲେ। ଏହାକୁ ନେଇ ବିରୋଧୀ ଭାଜପା ଶିବିର ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲା। ଦଳର ଛାମୁଆ ନେତାମାନେ କେଉଁ ଆସନକୁ କବ୍‌ଜା କରିବେ ତାହାକୁ ନେଇ ଅଙ୍କ କଷିବା ମଧ୍ୟ ଆରମ୍ଭ କରିଦେଇଥିଲେ। ହେଲେ ଗୁରୁବାର ନିର୍ବାଚନ ଫଳାଫଳ ଆସିବା ପରେ ବିରୋଧୀଙ୍କ ସବୁ ଅଙ୍କ ଯେ ବିଜେଡି ଭୁଲ ସାବ୍ୟସ୍ତ କରିଦେଇଛି ତାହା ଅନୁଗୋଳରେ ସ୍ପଷ୍ଟ ହୋଇଯାଇଛି।
ଅନୁଗୋଳ ଜିଲାର ୫ ନିର୍ବାଚନମଣ୍ଡଳୀରେ କ୍ଲିନ ସୁଇପ୍‌ କରିଛି ବିଜେଡି। ଦୁଇଟି ନିର୍ବାଚନମଣ୍ଡଳୀରେ ବଡ଼ ବ୍ୟବଧାନରେ ମଧ୍ୟ ଜିତିଛି ଦଳ। ଅନୁଗୋଳରେ ଦଳର ପୁରୁଖା ନେତା ରଜନୀକାନ୍ତ ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ୮୮୨୩ ଭୋଟରେ ପରାସ୍ତ କରିଛନ୍ତି। ରଜନୀକାନ୍ତ ୬୫୩୮୮ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତାପ ୫୬୫୬୫ ଭୋଟ ପାଇଛନ୍ତି। ତାଳଚେର ନିର୍ବାଚନମଣ୍ଡଳୀରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବ୍ରଜକିଶୋର ପ୍ରଧାନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କାଳନ୍ଦୀ ସାମଲଙ୍କୁ ୨୪୧୦୨ ଭୋଟରେ ହରାଇ ଦେଇଛନ୍ତି। ବ୍ରଜକିଶୋର ୭୦୦୪୪ ଭୋଟ ପାଇଥିବା ବେଳେ କାଳନ୍ଦୀଙ୍କୁ ମିଳିଥିଲା ୪୫୯୪୨ ଭୋଟ। ସେହିପରି ଛେଣ୍ଡିପଦାରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଭାଜପାର ଅଗସ୍ତି ବେହେରାଙ୍କଠାରୁ ୬୭୯୪ ଅଧିକ ଭୋଟ ପାଇ ବିଜୟଲାଭ କରିଛନ୍ତି। ସୁଶାନ୍ତଙ୍କୁ ୭୪୯୧୧ ଖଣ୍ଡ ଭୋଟ ମିଳିଥିବା ବେଳେ ଅଗସ୍ତିଙ୍କ ଖାତାରେ ୬୮୧୧୭ ଭୋଟ ପଡ଼ିଥିଲା। ପାଲଲହଡ଼ାରେ ବିଜେଡିର ମୁକେଶ ପାଲ ୬୨୧୪ ଭୋଟରେ ଭାଜପାର ଅଶୋକ ମହାନ୍ତିଙ୍କୁ ହରାଇ ଦେଇଛନ୍ତି। ଅଶୋକଙ୍କୁ ୫୩୧୩୬ ଭୋଟ ମିଳିଥିବା ବେଳେ ମୁକେଶ ୫୯୩୫୦ ଭୋଟ ପାଇଛନ୍ତି। ତେବେ ଆଠମଲ୍ଲିକରେ ବିଜେଡି ରେକର୍ଡ ପରିମାଣର ଭୋଟ ୪୭୧୮୪ରେ ଭାଜପାର ଜିଲା ସଭାପତି ତଥା ପ୍ରାର୍ଥୀ ଭାଗୀରଥି ପ୍ରଧାନଙ୍କୁ ହରାଇଛି। ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୮୬୨୫୪ ଖଣ୍ଡ ଭୋଟ ପାଇଥିବା ବେଳେ ଭାଗୀରଥି ମାତ୍ର ୩୯୦୭୦ ଖଣ୍ଡ ଭୋଟ ପାଇପାରିଥିଲେ। ଏପରି ଫଳାଫଳକୁ ନେଇ ଭାଜପା ଶିବିରରେ ନୈରାଶ ଖେଳିଯାଇଥିବା ବେଳେ ଅତି ନଗଣ୍ୟ ପ୍ରଦର୍ଶନ କରି କଂଗ୍ରେସ ସବୁଠାରୁ ଅଧିକ ନିରାଶ ହୋଇଛି।