Categories: ଜାତୀୟ

ବିରୋଧୀଙ୍କୁ ମୋଦି କହିଲେ ବୁଡ଼ି ମର

ମୁମ୍ବାଇ,୧୭ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିପକ୍ଷ ନେତାମାନଙ୍କ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ ସହ ଏହି ପଦକ୍ଷେପକୁ ଯୋଡ଼ୁଥିବାରୁ ତାଙ୍କୁ ସମାଲୋଚନା କରୁଥିବା ନେତାମାନେ ବୁଡ଼ି ମରନ୍ତୁ ବୋଲି ମୋଦି କହିଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ୫ ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୁଧବାର ବିଦର୍ଭ ଅଞ୍ଚଳର ଅକୋଲା ଜିଲାରେ ଭାଜପାର ଏକ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଏକ ଲଜ୍ଜାହୀନ ବିରୋଧୀ ପ୍ରଶ୍ନ କରୁଛି ଅନୁଚ୍ଛେଦ ୩୭୦ ଓ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କ କ’ଣ। ଜମ୍ମୁ-କଶ୍ମୀର ସହିତ ମହାରାଷ୍ଟ୍ରର କିଛି ସମ୍ପର୍କ ନାହିଁ ସେମାନେ କିପରି କହୁଛନ୍ତି। ସେମାନେ ଏଭଳି ଚିନ୍ତାଧାରାକୁ ନେଇ ଲଜ୍ଜିତ ହେବା ଉଚିତ। ସେମାନେ ବୁଡ଼ି ମରନ୍ତୁ। ଜମ୍ମୁ-କଶ୍ମୀର ପାଇଁ ସବୁକିଛି ତ୍ୟାଗ କରିଥିବା ମହାରାଷ୍ଟ୍ରର ପିଲାଙ୍କ ପାଇଁ ଆମେ ଗର୍ବିତ ବୋଲି ସେ କହିଛନ୍ତି। ମୋଦି ସରକାର ନିଜ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ୩୭୦ ଉଚ୍ଛେଦ ପ୍ରସଙ୍ଗ ଉଠାଉଛନ୍ତି ବୋଲି କଂଗ୍ରେସ ଏବଂ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ସମାଲୋଚନା କରୁଥିବାବେଳେ ମୋଦି ଏପରି ମନ୍ତବ୍ୟ ଦେଇଛନ୍ତି। ସେହିପରି ଶିବାଜୀ ମହାରାଜଙ୍କ ଭୂମିରେ ରାଜନୈତିକ ସ୍ବାର୍ଥ ପାଇଁ ଉଠୁଥିବା ସ୍ବରକୁ ନେଇ ସେ ଚକିତ ବୋଲି କହିଛନ୍ତି।

Share