ବିରାଶାଳ ଏୟାରଷ୍ଟ୍ରିପ୍‌ରେ ପ୍ରଶିକ୍ଷଣ ସମୟରେ ଖସିପଡ଼ିଲା ବିମାନ: ମୁଖ୍ୟ ପ୍ରଶିକ୍ଷକଙ୍କ ସହ ଜଣେ ଛାତ୍ରୀ ମୃତ

କାମାକ୍ଷାନଗର,୮ା୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ସୋମବାର ସକାଳେ ବିମାନ ଖସିପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଶିକ୍ଷଣ ଚାଲିଥିବା ସମୟରେ ମୁଖ୍ୟ ପ୍ରଶିକ୍ଷକଙ୍କ ସହ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ୍‌ ସଞ୍ଜୀବ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ପାଇଲଟ୍‌ ଅନିଶ ଫାତିମା। ପ୍ରଶିକ୍ଷକଙ୍କ ଘର ବିହାରରେ ହୋଇଥିବା ବେଳେ ଛାତ୍ରୀଙ୍କ ଘର ତାମିଲନାଡୁରେ। ସକାଳୁ ସେସନା-୧୨୫ ଦୁଇସିଟ୍‌ ବିଶିଷ୍ଟ ଟ୍ରେନି ପାଇଁ ଉଡ଼ାଣ ଆରମ୍ଭ କରିଥିବା ବେଳେ ପ୍ରାୟ ୧୦୦ ଫୁଟ ଉପରୁ ହଠାତ ଖସିପଡ଼ିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ବିଭାଗୀୟ ଆମ୍ବୁଲାନ୍ସରେ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି।