Categories: ଖେଳ

ବିରାଟ କୋହଲି ମୋତେ କରୁଥିଲେ ସ୍ଲେଜିଂ; ମୁମ୍ବାଇ ଇଣ୍ଡିଆନ୍ସର ଏହି କ୍ରିକେଟରଙ୍କ ଖୁଲାସା

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରାୟତଃ ପଡ଼ିଆରେ ଆକ୍ରମଣାତ୍ମକ ଆଚରଣ କରନ୍ତି। ଏହି କାରଣରୁ ତାଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। କିନ୍ତୁ କୋହଲି ତାଙ୍କ ଶୈଳୀରେ ପରିବର୍ତ୍ତନ କରିନାହାଁନ୍ତି। ଆଇପିଏଲ ୨୦୨୦ର ଏକ ମ୍ୟାଚ ସମୟରେ ଆରସିବି ଅଧିନାୟକ ବିରାଟ କୋହଲି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ପଡ଼ିଆରେ କଥା କଟାକଟି ହୋଇଥିଲା। ଏହି ମ୍ୟାଚରେ ୭୯ ରନ ସ୍କୋର କରି ସୁର୍ଯ୍ୟକୁମାର ମୁମ୍ବାଇକୁ ଜିତାଇଥିଲେ।

ସୂର୍ଯ୍ୟକୁମାର ବ୍ୟାଟିଂ ସମୟରେ ବିରାଟ କୋହଲି ତାଙ୍କ ଧ୍ୟାନ ଭଙ୍ଗ କରିବା ପାଇଁ କିଛି ଗୋଟେ କହୁଥିଲେ। କିନ୍ତୁ ସୂର୍ଯ୍ୟକୁମାର କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ନିକଟରେ ମୁମ୍ବାଇ ଇଣ୍ଡିଆନ୍ସର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହାର ଖୁଲାସା କରି ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ, କୋହଲି ସ୍ଲେଜିଂ କଲାବେଳେ ସେ ବହୁତ ଖୁସି ଥିଲେ। ଯାଦବ କହିଛନ୍ତି, ଏକ କଥା କେବଳ ମୋର ନୁହେଁ। ପ୍ରତ୍ୟେକ ବ୍ୟାଟ୍ସମ୍ୟାନଙ୍କ ସମାନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ମୁଁ ଖୁସି ଯେ କୋହଲି ସ୍ଲେଜିଂ କରିଥିଲେ । ଏହାର ଅର୍ଥ କୋହଲି ଜାଣିଥିଲେ ଯେ, ଯଦି ମୁଁ ବ୍ୟାଟିଂ ଜାରି ରଖେ ତେବେ ଆମେ ମ୍ୟାଚ ଜିତିବୁ। ଯଦି ଆରସିବି ମୋ ଉଇକେଟ ପାଇଥାନ୍ତା, ତେବେ ବୋଧହୁଏ ସେମାନେ ଜିତିବାର ସୁଯୋଗ ନେଇଥାନ୍ତେ। ମ୍ୟାଚ ସମୟରେ ଦୁହେଁ ପରସ୍ପରକୁ ଚାହିଁ ରହିଥିଲୁ, ମାତ୍ର କିଛି କ୍ଷଣର ରାଗ। ସେ କୋହଲିଙ୍କୁ ସମ୍ମାନ କରନ୍ତି ବୋଲି ସୂର୍ଯ୍ୟକୁମାର କହିଛନ୍ତି। ମୁଁ ପଚ୍‌ରେ ଶାନ୍ତ ଏବଂ ନୀରବ ରହିବାକୁ ଚେଷ୍ଟା କରେ ତେଣୁ ମୁଁ ଏହି ପ୍ରକାର ପ୍ରତିଯୋଗିତାରେ ପଡ଼େ ନାହିଁ ବୋଲି ସେ କହିଛନ୍ତି। ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷ ଟି -୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ସେ ତାଙ୍କର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ଆଇପିଏଲରେ ୧୦୮ଟି ମ୍ୟାଚ ଖେଳି ୨୧୯୭ ରନ ସ୍କୋର କରିଛନ୍ତି। ସେ ଗତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ ସିଜନରେ ସେ ୧୬ଟି ଆଇପିଏଲ ମ୍ୟାଚ ଖେଳି ୪୮୦ ରନ ସ୍କୋର କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ୨୦୨୦ ଟାଇଟଲ ଜିତି ୫ ମ ଥର ପାଇଁ ଟାଇଟଲ ଜିତିଛି।

 

Share