ବିମାନରେ ଯାନ୍ତ୍ରିକ ତ୍ରୁଟି: ଆଜି ପହଞ୍ଚିବ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର, ୧୯।୬(ଡି.ଏନ୍‌.ଏ.): ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହେଉଛି। ଗୁରୁବାର ତାଙ୍କ ମୃତଦେହ ଭୁବନେଶ୍ୱରେ ପହଞ୍ଚିବ। ଜନ୍ମମାଟି କାମାକ୍ଷାନଗର ବ୍ଲକ ବଡ଼ସୁଅଁ।ଳ ଗ୍ରାମକୁ ଅଣାଯିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେଠାରେ ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଅଜିତ୍‌ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଶହୀଦ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏଥିସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।
ଅନ୍ୟପଟେ ଘଟଣାକୁ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ଜିଲାସ୍ତରୀୟ ଅଧିକାରୀ, ପୋଲିସ ପ୍ରଶାସନ ସୌଜନ୍ୟତା ଦୃଷ୍ଟିରୁ ଶହୀଦଙ୍କ ଘରେ ପହଞ୍ଚତ୍ନାହାନ୍ତି। ଏହାକୁ ନେଇ କ୍ଷୋଭବ୍ୟକ୍ତ କରିଛନ୍ତି ଅଜିତ୍‌ଙ୍କ ବାପା ସନ୍ତୋଷ ସାହୁ। ସେ କହିଛନ୍ତି, ଦେଶ ପାଇଁ ପୁଅ ଜୀବନ ଦେଲା। ଏଭଳି ଦୁଃଖଦ ମୂହୁର୍ତ୍ତରେ ଉପଜିଲାପାଳଙ୍କୁ ବାଦ୍‌ ଦେଲେ ଆଉ କାହାରି ଦେଖା ମିଳିନାହିଁ। ଏପରି କି କେହି ଟେଲିଫୋନ୍‌ କରି ସାମାନ୍ୟ ସମବେଦନା ଜଣାଇବାକୁ ଉଚିତ ମନେକଲେନାହିଁ। ଏହା ହିଁ ହେଉଛି ଶହୀଦଙ୍କ ପ୍ରତି ପ୍ରଶାସନର ସମ୍ମାନ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଏ ନେଇ ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କୁହନ୍ତି, ଏକ ସ୍ବତନ୍ତ୍ର ବିମାନରେ ମରଶରୀର ଅଣାଯାଉଥିଲା। ପାଟଣାରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନ ଆସିବାରେ ବିଳମ୍ବ ହେଉଛି। ସେଠାକାର କର୍ତ୍ତୃପକ୍ଷଙ୍କ ସହ ପ୍ରଶାସନ ଯୋଗାଯୋଗରେ ରହିଛି। ଚଣ୍ଡୀଗଡ଼ କିମ୍ବା ଦିଲ୍ଲୀରୁ ଆସିବାକୁ ଅନ୍ୟଏକ ବିମାନକୁ ଅପେକ୍ଷା କରାଯାଇଛି। ଗୁରୁବାର ଶହୀଦଙ୍କ ମୃତଦେହ ଓଡ଼ିଶାରେ ପହଞ୍ଚତ୍ବା ସମ୍ଭାବନା ରହିଛି। ହେଲେ ନିର୍ଦ୍ଦିଷ୍ଟ ଭାବେ କେତେ ସମୟରେ ଆସିବ ସେ ନେଇ କୌଣସି ସୂଚନା ନ ଥିବା ଉପଜିଲାପାଳ କହିଛନ୍ତି।