ବିମାନବନ୍ଦର ଛାତ ଭୁଶୁଡ଼ି ମୃତ୍ୟୁ ଘଟଣା: ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳିବ ଭତ୍ତା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ି ପ୍ରାଣ ହରାଇଥିବା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ଭତ୍ତା ମିଳିବ। ତାଙ୍କ ପରିବାରକୁ ମାସିକ ଭତ୍ତା ପ୍ରଦାନ ପାଇଁ ପ୍ରଶାସନ ମଞ୍ଜୁରୀ ଦେଇଛି। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଯ୍ୟାମୀଙ୍କ ପରିବାରର ୩ଜଣଙ୍କୁ ଭତ୍ତା ମିଳିବ। ତାଙ୍କ ସ୍ତ୍ରୀ, ବୃଦ୍ଧ ମା’ବାପାଙ୍କୁ ମାସିକ ୫ଶହ ଲେଖାଏ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଉକ୍ତ ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ପୂର୍ବରୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ। ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଏବଂ ଆହତଙ୍କୁ ୫୦ହଜାର କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ଠିକାଦାର ସଂସ୍ଥା ଦିଲୀପ କନ୍‌ଷ୍ଟ୍ରକ୍‌ଶନକୁ ନିର୍ଦ୍ଦେଶ ଦେଇଥିଲେ।