ବିମାନବନ୍ଦରରେ ବୁଲୁଥିବା ମହିଳାଙ୍କ ବ୍ୟାଗ୍‌ରୁ ହଠାତ୍‌ ବାହାରିଲା ନିଆଁ

ବ୍ୟାଙ୍କକ,୩୦।୭: ଆପଣ ପାଓ୍ବାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି ଯଦି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାଆନ୍ତୁ। ନ ହେଲେ ଏହି ପାଓ୍ବାର ବ୍ୟାଙ୍କ ଆପଣଙ୍କ ପାଇଁ ବିପଦଜନ୍ନକ ହୋଇପାରେ। କିଛି ଏଭଳି ଘଟଣା ଘଟିଛି ଥାଇଲାଣ୍ଡର ଚିୟାଂ ମାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ। ଜଣେ ମହିଳା ଏୟାରପୋର୍ଟରେ ଚଲାବୁଲା କରୁଥିବା ବେଳେ ତାଙ୍କ ବ୍ୟାଗରୁ ହଠାତ୍‌ ନିଆଁ ଜଳିଥିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ଦେହରୁ ବ୍ୟାଗ କାଢ଼ି ରାସ୍ତାକୁ ଫୋପାଡି ଦେଇଥିଲେ। ଏହାପରେ ସେ ବ୍ୟାଗ ନିକଟକୁ ଯାଇ କେଉଁଥିରୁ ନିଆଁ ଲାଗିଥିଲା ବୋଲି ଦେଖିଥିଲେ। ନିଆଁ ଲିଭିବା ପରେ ଜଣାପଡ଼ିଥିଲା ଯେ ଏହି ଅଗ୍ନିକାଣ୍ଡ ପାଓ୍ବାର ବ୍ୟାଙ୍କରୁ ହୋଇଛି। ନିଆଁ  ଏତେ ଜୋରରେ ଲାଗିଥିଲା ଯେ ବ୍ୟାଗରୁ ବାହାରିବା ପରେ ବି ପାଓ୍ବାର ବ୍ୟାଙ୍କଟି ଜଳୁଥିଲା। ଏଥିସହ ବ୍ୟାଗରେ ଥିବା ଜିନିଷ ମଧ୍ୟ କିଛି ମାତ୍ରାରେ ଜଳିଯାଇଥିଲା। ସେହି ସମୟର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ଶେୟାର ହେବାର କିଛି ସମୟ ମଧ୍ୟରେ ହିଁ ଏହାକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।

Share