Categories: ବାଣିଜ୍ୟ

ବିମାନଠୁ ଅଧା ହେବ ତେଜସ୍‌ ଭଡା

ନୂଆଦିଲ୍ଲୀ,୨୮-୮: ରେଲଓ୍ବେର ସହାୟକ କମ୍ପାନୀ ଆଇଆର୍‌ସିଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ଦୁଇଟି ତେଜସ୍‌ ଏକ୍ସପ୍ରେସ ଟ୍ରେନର ଭଡ଼ା ସେହି ମାର୍ଗରେ ଚାଲୁଥିବା ସମସ୍ତ ବିମାନ ତୁଳନାରେ ୫୦% କମ୍‌ ହେବ ବୋଲି ମଙ୍ଗଳବାର ଏ ସମ୍ପର୍କରେ ସୂଚନା ମିଳିଛି। ରେଲଓ୍ବେର ପର୍ଯ୍ୟଟନ ଏବଂ ଖାଦ୍ୟପେୟ ଶାଖା ଇଣ୍ଡିଆନ ରେଲଓ୍ବେ ଟ୍ୟୁରିଜମ୍‌ ଆଣ୍ଡ କ୍ୟାଟରିଂ କର୍ପୋରେଶନ(ଆଇଆର୍‌ସିଟିସି) ପକ୍ଷରୁ ଦିଲ୍ଲୀ-ଲକ୍ଷ୍ନୌ ଏବଂ ଅହମ୍ମଦାବାଦ୍‌-ମୁମ୍ବାଇ ସେଣ୍ଟ୍ରାଲ ତେଜସ୍‌ ଏକ୍ସପ୍ରେସ ଚଳାଯିବ। କର୍ପୋରେଶନ ଏଥିପାଇଁ ଭଡ଼ା ଧାର୍ଯ୍ୟ କରିବ। ଏଥିପାଇଁ ଏହାକୁ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ସୂଚନାଥାଉ କି, ବର୍ତ୍ତମାନ ଦିଲ୍ଲୀରୁ ଲକ୍ଷ୍ନୌ ମଧ୍ୟରେ ଏକତରଫା ବିମାନ ଭଡ଼ା ୧୮୦୦ ଟଙ୍କା ଆଖପାଖରେ ରହିଛି। ରେଲଓ୍ବେ ସୂତ୍ର ଅନୁଯାୟୀ ତେଜସ୍‌ ଏକ୍ସପ୍ରେସର ଭଡ଼ା ୧୦୦୦ ଟଙ୍କା ଆଖପାଖରେ ରହିବ। ସେହିପରି ଅହମ୍ମଦାବାଦ୍‌-ମୁମ୍ବାଇ ମଧ୍ୟରେ ଏକତରଫା ବିମାନ ଭଡ଼ା ପ୍ରାୟ ୨୪୦୦ ଟଙ୍କା ଥିବା ବେଳେ ଏହି ରୁଟ୍‌ରେ ତେଜସ୍‌ର ଭଡ଼ା ପ୍ରାୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯିବ। କେତେକ ଟ୍ରେନର ପରିଚାଳନା ଘରୋଇ ହାତରେ ଟେକି ଦେବା ଲାଗି ରେଲଓ୍ବେ ପକ୍ଷରୁ ବିଚାର କରାଯାଉଥିବା ବେଳେ ପରୀକ୍ଷାମୂଳକ ଭାବେ ଦୁଇଟି ତେଜସ୍‌ ଟ୍ରେନକୁ ଆଇଆର୍‌ସିଟିସିକୁ ପରିଚାଳନା ପାଇଁ ଦିଆଯାଇଛି।

Share