Categories: ଅନୁଗୋଳ

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଜିଲା ଶିକ୍ଷା ଅଧିକାରୀ: ପିଲାଙ୍କ ସହ କଲେ ମଧ୍ୟାହ୍ନଭୋଜନ

ବନ୍ତଳା,୧୦ା୧୧(ଡି.ଏନ.ଏ.) – ଅନୁଗୋଳ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଶନିବାର ବନ୍ତଳା ଥାନା ଅଞ୍ଚଳରେ ଥିବା କେତେକ ସ୍କୁଲକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ଉପସ୍ଥିତ ଥିଲେ। ଜିଲା ଶିକ୍ଷା ଅଧିକାରୀ ପୋକତୁଙ୍ଗା ହାଇସ୍କୁଲରେ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଦରଖାସ୍ତ ନ ଦେଇ ଛୁଟିରେ ଥିବାରୁ ସ୍କୁଲର ଜଣେ କ୍ଲର୍କଙ୍କ ଦିନକର ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ।
ଶିକ୍ଷା ଅଧିକାରୀ ବେହେରା ପ୍ରଥମେ ନନ୍ଦପୁରସ୍ଥିତ କଳିଙ୍ଗ ହାଇସ୍କୁଲ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। କଳିଙ୍ଗ ହାଇସ୍କୁଲ ପ୍ରଧାନ ଶିକ୍ଷକ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବା ଓ କୌଣସି କର୍ମଚାରୀଙ୍କୁ ପଠାଉ ନ ଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ସ୍କୁଲ ଅଫିସ ସମ୍ମୁଖରେ ଏସ୍‌ସିଏସ୍‌ଟି ପିଲାମାନଙ୍କ ବହିସବୁ ଏଣେତେଣେ ପଡିଥିବା ଦେଖି ଏହାର ପୁନରାବୃତ୍ତି ନ କରିବାକୁ ଚେତାବନୀ ଦେଇଥିଲେ। ସେହିପରି ଆବଶ୍ୟକ ଅନୁଯାୟୀ ଶ୍ରେଣୀ ଗୃହ ନ ଥିବା ଓ ତଳେ ବସି ପିଲାମାନେ ପଢୁଥିବାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ଅଷ୍ଟମ ଶ୍ରେଣୀକୁ କଳିଙ୍ଗ ହାଇସ୍କୁଲକୁ ହସ୍ତାନ୍ତର ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ନନ୍ଦପୁର ପ୍ରାଥମିକ ବିଦ୍ୟାଳୟ ଓ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟ ବୁଲି ଦେଖିଥିଲେ। ଏହାପରେ ପୋକତୁଙ୍ଗା ସରକାରୀ ହାଇସ୍କୁଲ ପରିଦର୍ଶନରେ ଯାଇ କ୍ଲର୍କ ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ରହିଥିବାରୁ ଦିନକର ଦରମା ବନ୍ଦ କରିବା ପାଇଁ ପ୍ରଧାନ ଶିକ୍ଷକ ସନାତନ ମୁଦୁଲିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା କମିଟି ସହାୟତାରେ ବିଦ୍ୟାଳୟ ପାଣ୍ଠିରୁ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଉଦ୍‌ଘାଟନ କରିଥିଲେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବଣ୍ଟନ କରିବା ସହିତ ସେମାନଙ୍କ ସହ ବସି ଖାଇଥିଲେ। ତେବେ ଆନୁଷଙ୍ଗିକ ବିଜ୍ଞାନ ଉପକରଣ ଦିଆଯାଇଥିଲେ ବି ପିଲାମାନଙ୍କୁ ତାହା ଦେଖାଇ ପଢାଯାଉ ନ ଥିବା ଜାଣି ଶିକ୍ଷା ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସ୍କୁଲରେ ପିଲା ସଂଖ୍ୟା ଅନୁଯାୟୀ ଶିକ୍ଷକ ନ ଥିବାରୁ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଶିକ୍ଷା ପରିଚାଳନା କମିଟି ସଭାପତି ଦିନେଶ ଦେହୁରୀ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ପଦକ୍ଷେପ ନେବାକୁ ଜିଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନରେ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ବେଳେ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପସ୍ଥାନ ଖାତା ଯାଞ୍ଚ ସହ ଅଗ୍ନି ନିର୍ବାପକ ଯନ୍ତ୍ର, ଶୌଚାଳୟ, ମଧ୍ୟାହ୍ନଭୋଜନ ବ୍ୟବସ୍ଥା କିପରି ଚାଲିଛି ତାହା ଜିଲା ଶିକ୍ଷା ଅଧିକାରୀ ଯାଞ୍ଚ କରିଥିଲେ।