ବିଭିନ୍ନ ସମସ୍ୟା ସମାଧାନ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ

କେନ୍ଦୁଝର,୨୪।୯( ସ୍ବ.ପ୍ର.): କେନ୍ଦୁଝର ଜିଲା ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହୋଇଛି। ଏ ନେଇ କାଳୀ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚି ଥିଲେ। ସଂଘ ଜିଲା ସଭାପତି ବିଦ୍ୟାଧର ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ମହେଶ୍ୱର ରାଉତ ଯୋଗଦେଇ କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନକୁ ବିରୋଧ କରିଥିଲେ। ସେହିପରି ଅନ୍ୟାନ୍ୟ ଦାବି ମଧରେ ମଜୁରି ବୋର୍ଡ ବିଲକୁ ପ୍ରତ୍ୟାହାର, ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି, ବାକିଥିବା ସହାୟତା ରାଶି ଓ ଉପକରଣ ତୁରନ୍ତ ପ୍ରଦାନ, ମାସିକ ୬ ହଜାର ଟଙ୍କା ପେନସନ, ମହିଳାଙ୍କୁ ୬ ମାସର ପ୍ରସୂତିକାଳୀନ ସହାୟତା ପ୍ରଦାନ ଆଦି ଦାବି ରହିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରମିକମାନଙ୍କ ସହ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ପ୍ରମୁଖ ଉପସ୍ଥିତ ଥିଲେ।