ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାଦାତାଙ୍କ ପୂଜା

ଦାରିଙ୍ଗବାଡ଼ି,୨।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ସୋମବାର ପୂର୍ବାହ୍ନରେ ବିଦ୍ୟାଦାତା ଶ୍ରୀଗଣେଶଙ୍କ ପୂଜା ଧୂମ୍‌ଧାମରେ ପାଳନ ହେଉଛି। ଏହି ଅବସରରେ ସମସ୍ତ ଅସ୍ଥାୟୀ ପୀଠରେ ମଧ୍ୟ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ପୂଜା କରାଯାଉଛି। ଦାରିଙ୍ଗବାଡ଼ିର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ଶିବ ସେଠୀଙ୍କ ନେତୃତ୍ୱରେ ବବିତାରାଣୀ ସେଠୀ,ମଧୁସ୍ମିତା ଦାସ, ଶରତ ଚନ୍ଦ୍ର ସାହୁ, ବିଜୟ ସ୍ବାଇଁ ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ବାରା ଗଣେଶଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ସେହିପରି ଉକ୍ତ ବ୍ଲକର ସିମନବାଡ଼ି ସମେତ ବୁଡ଼ାଗୁଡ଼ା,ତିଲୋରୀ,ବ୍ରାହ୍ମଣୀଗାଁ, ଶ୍ରାନିକେତା, ବାଡ଼ାବାଙ୍ଗା ଆଦି ପଞ୍ଚାୟତରେ ଗଣେଶଙ୍କ ମେଢ଼ କରାଯାଇ ପୂଜାର୍ଚ୍ଚନା କରାଯାଉଛି।